ସମ୍ୱଲପୁର, ୧୩/୦୯: ସମ୍ବଲପୁରରେ ପୁଣି ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ। ସମ୍ବଲପୁର ଥାନା ଅଞ୍ଚଳ କେନାଲ ରୋଡ୍ ସୁଦୁଙ୍ଗା ଜଙ୍ଗଲ ନିକଟରେ ଏନ୍କାଉଣ୍ଟର କରିଛି ପୋଲିସ।
ସୂଚନା ଅନୁଯାୟୀ, ଆହତ ଦୁର୍ଦ୍ଦାନ୍ତ ଅପରାଧୀ ହେଉଛି ସୁନାପାଲିର ମହମ୍ମଦ ଇରଫାନ। ଇରଫାନ୍ ନାଁରେ ଡକାୟତି, ଲୁଟ୍, ଚୋରି ଓ ନିଶା କାରବାର ମାମଲା ରହିଛି। ଆଜି ଭୋର ସମୟରେ ପୋଲିସ ଇରଫାନ ସମେତ ତିନି ଅପରାଧୀଙ୍କୁ କାବୁ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଇରଫାନ ପୋଲିସ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ପୋଲିସ ନିଜର ସୁରକ୍ଷା ପାଇଁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ଅଭିଯୁକ୍ତ ଆହତ ହୋଇଛି। ଇରଫାନର ବାମ ଗୋଡ଼ରେ ବାଜିଛି ୨ଟି ଗୁଳି। ଆହତ ଅବସ୍ଥାରେ ଅଭିଯୁକ୍ତକୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨ ସହଯୋଗୀଙ୍କୁ କାବୁ କରିଛି ପୋଲିସ। ଘଟଣାସ୍ଥଳରୁ ଏକ ପିସ୍ତଲ, ଗୁଳି ଓ ୩ଟି ଖୋକା ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।