ୟୁଏଇ ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାକୁ ୨.୪୩ ଲକ୍ଷ କୋଟିର ନିବେଶ ଆଶା
ନିବେଶ ଆସିବ, ନିଯୁକ୍ତି ବଢ଼ିବ
ଭୁବନେଶ୍ୱର, ୧୩/୦୯: ୫ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ଫେରିଲେ ମୁଖ୍ୟମନ୍ତ୍ରୀ। ୟୁଏଇରେ ତିନି ଦିନ ନିବେଶକଙ୍କ ସହ ଆଲୋଚନା ଶେଷ କରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ୟୁଏଇ ଗସ୍ତ ସମୟରେ ଆବୁଧାବି ଓ ଦୁବାଇରେ ନିବେଶକ, ଶିଳ୍ପପତି ଓ ବ୍ୟବସାୟିକ ସଂଗଠନ ସହ ବ୍ୟାପକ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ।
ଓଡ଼ିଶାରେ ପହଞ୍ଚିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ପ୍ରାୟ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏହି ପ୍ରସ୍ତାବଗୁଡ଼ିକରୁ ପ୍ରାୟ ୬ ଲକ୍ଷ ୧୮ ହଜାର ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି। ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୮ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ।
ତିନିଦିନିଆ ନିବେଶ ଅଭିଯାନରେ ଆବୁଧାବି ଓ ଦୁବାଇରେ ଅନେକ ପର୍ଯ୍ୟାୟର ବୈଠକ ହୋଇଥିଲା। ମୋଟ ୮ଟି ଏମଓୟୁ ଓ ୧୬ଟି ନିବେଶ ଆଗ୍ରହ ମିଳିଥିବା ସୂଚନା ରହିଛି। ଏହା ସହ ୨୬ଟି ଓ୍ୱାନ୍-ଟୁ-ଓ୍ୱାନ୍ ନିବେଶକ ବୈଠକ ଏବଂ ୬ଟି ରାଉଣ୍ଡଟେବୁଲ୍ ଆଲୋଚନା ହୋଇଥିଲା। ଦୁବାଇର ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ପ୍ରାୟ ୪୦୦ ବ୍ୟବସାୟୀ ଓ ନିବେଶକ ଯୋଗ ଦେଇଥିଲେ।
ଆବୁଧାବିରେ ପ୍ରଥମ ଦିନରେ ଓଡ଼ିଶା ସରକାର, ୟୁଏଇର ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (ଆଇଏଚସି) ଓ ଆଦାନୀ ଗ୍ରୁପ ମଧ୍ୟରେ ୧୪ଟି ପ୍ରକଳ୍ପ ନେଇ ବୁଝାମଣା ହୋଇଥିଲା। ଏହି ପ୍ରକଳ୍ପଗୁଡ଼ିକର ନିବେଶ ପରିମାଣ ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କା ଏବଂ ନିଯୁକ୍ତି ସମ୍ଭାବନା ପ୍ରାୟ ୮.୬୮ ଲକ୍ଷ ରହିଛି। ଏଥିରେ ମେଟାଲ୍ ଡାଉନଷ୍ଟ୍ରିମ୍, କ୍ରିଟିକାଲ୍ ମିନେରାଲ୍ସ, ରେୟାର ଆର୍ଥ, କେମିକାଲ୍ସ, ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ ଶିଳ୍ପ ଭିତ୍ତିଭୂମି ଭଳି କ୍ଷେତ୍ର ରହିଛି।
ଦ୍ୱିତୀୟ ଦିନ ଦୁବାଇରେ ମଧ୍ୟ ଓଡ଼ିଶାକୁ ନିବେଶ ଆଣିବା ନେଇ ଆଲୋଚନା ହୋଇଥିଲା। ଏହି ଦିନ ୫ଟି ଏମଓୟୁ ଓ ୮ଟି ନିବେଶ ପ୍ରସ୍ତାବ ମାଧ୍ୟମରେ ମୋଟ ୮,୪୧୭ କୋଟି ଟଙ୍କାର ନିବେଶ ଆଗ୍ରହ ମିଳିଥିଲା। ଏଥିରୁ ୫ଟି ଏମଓୟୁରେ ୫,୬୦୦ କୋଟି ଟଙ୍କାର ନିବେଶ ଓ ୧୧,୫୦୦ ନିଯୁକ୍ତିର ସମ୍ଭାବନା ଥିବାବେଳେ ୮ଟି ନିବେଶ ଆଗ୍ରହରେ ୨,୮୧୭ କୋଟି ଟଙ୍କା ଓ ୨,୮୧୦ ନିଯୁକ୍ତିର ସମ୍ଭାବନା ରହିଛି।
ଦୁବାଇ ଗସ୍ତରେ ଆଇଟି ଓ ଆଇଟିଇଏସ, ରିଅଲ୍ ଇଷ୍ଟେଟ୍, ଲଜିଷ୍ଟିକ୍ସ, ଖାଦ୍ୟ ଓ କୃଷି ପ୍ରକ୍ରିୟାକରଣ, ଷ୍ଟିଲ୍ ଡାଉନଷ୍ଟ୍ରିମ୍, ରେୟାର ଆର୍ଥ, ଆଲୁମିନିୟମ୍ ଓ ସର୍କୁଲାର ଇକୋନୋମି ଭଳି କ୍ଷେତ୍ରରେ ନିବେଶକଙ୍କ ଆଗ୍ରହ ଦେଖିବାକୁ ମିଳିଛି।