ନୂଆଦିଲ୍ଲୀ, ୧୬/୦୯: ଆରବ ସାଗରରେ ଭାରତୀୟ ନୌସେନାର ଏକ ଜାହାଜ ସହ ପାକିସ୍ତାନୀ ନୌସେନାର ଜାହାଜ ଧକ୍କା ହେବାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ଦେଖାଦେଇଛି। ଘଟଣା ପରେ ଭାରତ ବୁଧବାର ନୂଆଦିଲ୍ଲୀରେ ପାକିସ୍ତାନର କୂଟନୀତିଜ୍ଞଙ୍କୁ ସମନ କରିବା ସହ ଚାର୍ଜ ଡି’ଆଫେୟାର୍ସ ସାଦ ଅହମଦ ୱାରାଇଚଙ୍କୁ ଦୃଢ଼ ପ୍ରତିବାଦ ଜଣାଇଛି।
ସୂଚନା ଅନୁସାରେ, ସେପ୍ଟେମ୍ବର ୧୫ ତାରିଖ ସନ୍ଧ୍ୟାରେ ଉତ୍ତର ଆରବ ସାଗରରେ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ୍ ଯୁଦ୍ଧଜାହାଜ ନିୟମିତ ସମୁଦ୍ର ନିରୀକ୍ଷଣ କାର୍ଯ୍ୟରେ ଥିଲା। ଏହି ସମୟରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଦ୍ରୁତ ଗତିରେ ଭାରତୀୟ ଜାହାଜ ନିକଟକୁ ଆସିଥିଲା। ପାକିସ୍ତାନୀ ଜାହାଜଟି ଅସୁରକ୍ଷିତ ଓ ଅନୁପଯୁକ୍ତ ଭାବେ ଚଳାଚଳ କରିବାରୁ ଧକ୍କା ହୋଇଥିବା ଭାରତୀୟ ଅଧିକାରୀ କହିଛନ୍ତି।
ଆନ୍ତର୍ଜାତିକ ଜଳସୀମାରେ ଏହି ଘଟଣା ଘଟିଥିଲା। ତେବେ ଏହି ଧକ୍କାରେ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି। କିନ୍ତୁ କେଉଁ ଦୁଇଟି ଜାହାଜ ମଧ୍ୟରେ ଟକ୍କର ହୋଇଥିଲା, ସେ ନେଇ ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ପାକିସ୍ତାନୀ ନୌସେନା ଜାହାଜର ଏହି ଆଚରଣ ଏପ୍ରିଲ ୧୯୯୧ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ‘ଆଡଭାନ୍ସ ନୋଟିସ ଅନ ମିଲିଟାରୀ ଏକ୍ସରସାଇଜ, ମାନୋଭର୍ସ ଆଣ୍ଡ ଟ୍ରୁପ୍ସ ମୋଭମେଣ୍ଟ’ ଚୁକ୍ତିର ଧାରା ୧୦ ର ଉଲ୍ଲଂଘନ କରିଛି। ଭାରତ କହିଛି, ସାମରିକ ଜାହାଜଗୁଡ଼ିକୁ ସମୁଦ୍ରରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଓ ଦୁଇ ଦେଶ ମଧ୍ୟରେ ଥିବା ସମ୍ପୃକ୍ତ ଚୁକ୍ତିଗୁଡ଼ିକର ବ୍ୟବସ୍ଥାକୁ ସମ୍ମାନ କରିବା ଆବଶ୍ୟକ।
ଯାହାକୁ ନେଇ ଭାରତ ଦୃଢ଼ ପ୍ରତିବାଦ କରିବା ସହ ପାକିସ୍ତାନ ଦୂତାବାସକୁ ସମନ ଜାରି କରିଛି। ଇସ୍ଲାମାବାଦ ସ୍ଥିତ ଭାରତୀୟ ଚାର୍ଜ ଡି ଆଫାୟାର୍ସଙ୍କୁ ପ୍ରତିବାଦ ପାଇଁ କହିଲା ଭାରତର ବୈଦେଶିକ ମନ୍ତ୍ରଣାଳୟ।