ମୋଦିଙ୍କୁ ଭେଟିଲେ ସ୍କୁଲ ସାଙ୍ଗ, ୧୫ ବର୍ଷର ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଛେଦ
ଅସଗରଙ୍କ ଜମିକୁ କବଜା କରିଥିଲେ ବିଜେପି ବିଧାୟକ
ମୁମ୍ବାଇ, ୧୬/୦୯: ମହାରାଷ୍ଟ୍ରର ମୀରା-ଭାୟନ୍ଦରରେ ଦୀର୍ଘ ପ୍ରାୟ ୧୫ ବର୍ଷ ଧରି ଚାଲିଥିବା ଏକ ଜମି ବିବାଦରେ ପୂର୍ଣ୍ଣଛେଦ ପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଅସଗର ଅଲି ଭୋରା ନାମକ ଜଣେ ବ୍ୟକ୍ତିଙ୍କ ଜମି ବିବାଦର ସମାଧାନ ହୋଇଛି। ଅସଗର ଅଲି ଭୋରା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍କୁଲ ସହପାଠୀ। ଗତ ସେପ୍ଟେମ୍ବର ୮ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଅସଗର ଜମି ବିବାଦ ସମ୍ପର୍କରେ କଥା ହୋଇଥିଲେ। କିଛି ଦିନ ପରେ ଏହାର ସମାଧାନ ହୋଇଛି। ଏପରିକି ଯେଉଁ ବ୍ୟକ୍ତି ଜଣକ ଅସଗରଙ୍କ ଜମି ଜୋର ଜବରଦସ୍ତ ଦଖଲ କରିଥିଲେ, ସେ ହେଉଛନ୍ତି ମହାରାଷ୍ଟ୍ରର ବିଜେପି ବିଧାୟକ ନରେନ୍ଦ୍ର ମେହେଟା।
କିଏ ଏହି ଅସଗର ଅଲି ଭୋରା ?
ଅସଗର ଅଲି ଭୋରା ଗୁଜରାଟର ଭାଡନଗରସ୍ଥିତ ବିଏନ୍ ସ୍କୁଲରେ ନରେନ୍ଦ୍ର ମୋଦିଙ୍କ ସହ ମିଶି ପାଠ ପଢ଼ୁଥିଲେ। ୮୧ ବର୍ଷୀୟ ଭୋରା ଭାୟନ୍ଦର ଇଷ୍ଟର ନବଘର ଅଞ୍ଚଳରେ ପ୍ରାୟ ୨,୮୧୦ ବର୍ଗମିଟର ଜମି ଏକ ପଞ୍ଜିକୃତ ଚୁକ୍ତି ମାଧ୍ୟମରେ କିଣିଥିଲେ। ପରବର୍ତ୍ତୀ ସମୟରେ ସେ ଏହି ଜମିକୁ ନା ବିକ୍ରି କରିଥିଲେ, ନା ଅନ୍ୟ କାହାକୁ ହସ୍ତାନ୍ତର କରିଥିଲେ। କିନ୍ତୁ ତାଙ୍କ ଅଜାଣତରେ ୨୦୧୧ରେ ଜାଲ୍ ଦଲିଲ ପ୍ରସ୍ତୁତ କରାଯାଇ ଜମିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଜମିର ଗୋଟିଏ ଅଂଶ ସ୍ୱୟଂ ବିଲ୍ଡର୍ସ ଏବଂ ଅନ୍ୟ ଅଂଶ ସେଭେନ୍ ଇଲେଭେନ୍ କନଷ୍ଟ୍ରକ୍ସନ୍ସକୁ ଦିଆଯାଇଥିଲା। ସେଭେନ୍ ଇଲେଭେନ୍ କନଷ୍ଟ୍ରକ୍ସନ୍ସ ବିଧାୟକ ନରେନ୍ଦ୍ର ମେହେଟାଙ୍କ ସହ ଜଡ଼ିତ ଥିଲା।
ଏଣୁ ଦୀର୍ଘ ସମୟ ଧରି ମୀରା-ଭାୟନ୍ଦର ଅଞ୍ଚଳରେ ତାଙ୍କ ଜମିକୁ ନେଇ ବିବାଦର ସମାଧାନ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ କରିଆସୁଥିଲେ। କିନ୍ତୁ କେହି ତାଙ୍କ ଅଭିଯୋଗକୁ କର୍ଣ୍ଣପାତ କରିନଥିଲେ।
ଭୋରାଙ୍କ ଅଭିଯୋଗ ଅନୁସାରେ, ଜମି ଉପରେ ତାଙ୍କ ମାଲିକାନା ଦାବି ଥିବା ସତ୍ତ୍ୱେ ମୀରା-ଭାୟନ୍ଦର ମ୍ୟୁନିସିପାଲ କର୍ପୋରେସନର ଟାଉନ୍ ପ୍ଲାନିଂ ବିଭାଗ ଏହି ଜମିରେ ନିର୍ମାଣ ପାଇଁ ଅନୁମତି ଦେଇଥିଲା।
ସେପ୍ଟେମ୍ବର ୮ରେ ଭୋରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ତାଙ୍କ ଜମି ବିବାଦ ସମ୍ପର୍କରେ ଜଣାଇଥିଲେ ଏବଂ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ପରେ ମହାରାଷ୍ଟ୍ରର ବରିଷ୍ଠ ଅଧିକାରୀମାନେ ମାମଲାଟିକୁ ନେଇ ବୈଠକ କରିଥିଲେ।
ସେପ୍ଟେମ୍ବର ୧୫ରେ ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀକର ପରଦେଶୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ଭୋରା, ବିଧାୟକ ନରେନ୍ଦ୍ର ମେହେଟା, ମୀରା-ଭାୟନ୍ଦର ମ୍ୟୁନିସିପାଲ କମିଶନର ରାଧା ବିନୋଦ ଶର୍ମା ଏବଂ ଟାଉନ୍ ପ୍ଲାନର ପୁରୁଷୋତ୍ତମ ସିନ୍ଦେ ଉପସ୍ଥିତ ଥିଲେ।
ଏହି ବୈଠକରେ ନରେନ୍ଦ୍ର ମେହେଟା ଟାଉନ୍ ପ୍ଲାନିଂ ବିଭାଗକୁ ଏକ ଚିଠି ଲେଖି ବିବାଦୀୟ ଜମିର ଦଖଲ ଛାଡ଼ିବା ଏବଂ ଜମି ପାଇଁ ମିଳିଥିବା ନିର୍ମାଣ ଅନୁମତିକୁ ପ୍ରତ୍ୟାହାର କରିବାକୁ ଜଣାଇଥିଲେ।