ସ୍କୁଲରେ ଗୁଳିକାଣ୍ଡ: ୩ ଛାତ୍ର ମୃତ, ୮ ଆହତ

ଆକ୍ରମଣ ପରେ ନିଜକୁ ଗୁଳି କଲା ଛାତ୍ର

ମାନିଲା, ୧୮/୦୯: ଫିଲିପାଇନ୍ସର ଦକ୍ଷିଣ ଅଞ୍ଚଳର ଏକ ସ୍କୁଲରେ ଶୁକ୍ରବାର ଭୟାବହ ଗୁଳିକାଣ୍ଡ ଘଟିଛି। ସାଉଥ କୋଟାବାଟ ପ୍ରଦେଶର ବାଙ୍ଗା ନ୍ୟାସନାଲ ହାଇସ୍କୁଲରେ ଜଣେ ୧୬ ବର୍ଷୀୟ ଛାତ୍ର ଗୁଳି ଚଳାଇବା ପରେ ନିଜକୁ ମଧ୍ୟ ଗୁଳି କରିଛି। ଏହି ଘଟଣାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ, ଘଟଣାଟି ଶୁକ୍ରବାର ଦିନ ପ୍ରାୟ ୧ଟା ୩୦ ମିନିଟ୍‌ ସମୟରେ ଘଟିଥିଲା। ଅଭିଯୁକ୍ତ ଛାତ୍ର ନିଜ ଶ୍ରେଣୀକକ୍ଷରୁ ବାହାରି ଅନ୍ୟ ଏକ କ୍ଲାସ୍‌ରୁମ୍‌ ନିକଟରେ ଅନ୍ୟ ଛାତ୍ରମାନଙ୍କ ଉପରେ ଗୁଳି ଚଳାଇଥିଲେ।

ଗୁଳିକାଣ୍ଡ ପରେ ଅଭିଯୁକ୍ତ ଛାତ୍ର ନିଜକୁ ମଧ୍ୟ ଗୁଳି କରିଥିଲା। ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତେଣୁ ମୋଟ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଠ ଜଣ ଆହତଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବାଙ୍ଗା ମେୟର ଆଲବର୍ଟ ପାଲେନ୍ସିଆଙ୍କ କହିବା ଅନୁସାରେ, ଅଭିଯୁକ୍ତ ଛାତ୍ର ଆକ୍ରମଣ ପୂର୍ବରୁ ନିଜ ସାଙ୍ଗମାନଙ୍କୁ ଏନେଇ କିଛି କହିଥିଲା। କିନ୍ତୁ ସାଙ୍ଗମାନେ ତାଙ୍କ କଥାକୁ ଗମ୍ଭୀରତାର ସହ ନେଇନଥିଲେ। ପରେ ଲଞ୍ଚ୍ ପରେ ସେ ଆକ୍ରମଣ କରିଥିଲା।

ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ଛାତ୍ର ତାଙ୍କ ବାପାଙ୍କ ନାମରେ ଥିବା ଏକ ବନ୍ଧୁକ ନେଇ ସ୍କୁଲକୁ ଆସିଥିଲା। କିନ୍ତୁ ସେହି ବନ୍ଧୁକ ତାଙ୍କ ହାତକୁ କିପରି ଆସିଲା, ସେନେଇ ମଧ୍ୟ ତଦନ୍ତ ହେଉଛି।