ପାଟ୍ରୋଲିଂ ଟିମ୍ ଉପରେ ଉଗ୍ରବାଦୀଙ୍କ ଆକ୍ରମଣ

ଜଣେ ଯବାନ ସହିଦ, ୪ ଜଣ ଆହତ

ଅରୁଣାଚଳ ପ୍ରଦେଶ, ୨୯/୦୮: ମଙ୍ଗଳବାର ଦିନ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାରେ ଭାରତ-ମିଆଁମାର ସୀମାରେ ଏକ ପାଟ୍ରୋଲିଂ ଦଳ ଉପରେ ସନ୍ଦିଗ୍ଧ ଉଗ୍ରବାଦୀ ଆକ୍ରମଣ ପରେ ଆସାମ ରାଇଫଲ୍ସର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।

ଆଜି ସକାଳ ପ୍ରାୟ ୬ଟା ୩୦ ସମୟରେ ନାମପୋଙ୍ଗ ସର୍କଲ ଅନ୍ତର୍ଗତ ନାମପୋଙ୍ଗ ନାଲ୍ଲା ନିକଟରେ ୨୧ ଆସାମ ରାଇଫଲ୍ସର କର୍ମଚାରୀମାନେ ସୀମାରେ ବାଡ଼ କାମ ଚାଲିଥିବା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ପାଟ୍ରୋଲିଂ ଦଳ ଉପରେ ଗୁଳି ଚଳାଇଥିଲେ। ଏଥିରେ ହାବିଲଦାର ଜାନଖୋକାଇ କୁକି (୪୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଥିଲେ।

ଆହତ କର୍ମଚାରୀମାନଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।ଘଟଣା ପରେ ସୁରକ୍ଷା ବାହିନୀ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି। ପ୍ରାଥମିକ ରିପୋର୍ଟରେ ଏହି ଉଗ୍ରବାଦୀମାନେ NSCN (K-YA) ସହିତ ଜଡିତ ଥିବା ଅନୁମାନ କରାଯାଉଛି।