ଟ୍ରାଫିକ ଚାଲାଣ ନଦେଲେ ବିଜୁଳି ବିଲ୍ରେ ଯୋଡ଼ାଯିବ ବକେୟା!
ଗାଡ଼ିକୁ ବ୍ଲାକ୍ଲିଷ୍ଟ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ
ଇ-ଚାଲାଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ପ୍ରସ୍ତାବ
ନୂଆଦିଲ୍ଲୀ, ୨୯/୦୯: ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ କଟାଯାଉଥିବା ଇ-ଚାଲାଣର ବକେୟା ଅର୍ଥ ଆଦାୟ ପାଇଁ କଡ଼ା ପଦକ୍ଷେପ ନେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ବକେୟା ଟ୍ରାଫିକ୍ ଚାଲାଣକୁ ବିଦ୍ୟୁତ୍ ବିଲ୍ର ବକେୟା ସହ ଯୋଡ଼ିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ଏହା ଉପରେ ଏକ ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ନିର୍ଦ୍ଦେଶ ଦେଇନାହାନ୍ତି।
ଏକ ଶୁଣାଣି ସମୟରେ ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ପରାମର୍ଶ ଦେଇଛନ୍ତି। ୨୦୧୨ ମସିହାରୁ ଚାଲିଆସୁଥିବା ଏକ ରୋଡ୍ ସେଫ୍ଟି ଜନସ୍ୱାର୍ଥ ମାମଲାରେ ଇଲେକ୍ଟ୍ରୋନିକ୍ ଭାବେ ଟ୍ରାଫିକ୍ ନିୟମ ଲାଗୁ କରିବା ଏବଂ ବକେୟା ଇ-ଚାଲାଣ ଅର୍ଥ ଆଦାୟ ସମ୍ପର୍କିତ ଆବେଦନର ଶୁଣାଣି ହେଉଥିଲା। ଏହି ମାମଲା ସାମାଜିକ କର୍ମୀ ଏସ୍. ରାଜସେକରନଙ୍କ ଦ୍ୱାରା ଦାଖଲ ହୋଇଥିଲା।
ଶୁଣାଣି ସମୟରେ କୋର୍ଟଙ୍କୁ ଜଣାଯାଇଥିଲା ଯେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ଇ-ଚାଲାଣ ଅର୍ଥ ଆଦାୟ କରିବାକୁ ବାକି ରହିଛି। ଏଥିରୁ ପ୍ରାୟ ୨୫ ହଜାର କୋଟି ଟଙ୍କା ଆଦାୟ ହୋଇସାରିଛି। ଏହା ପରେ କୋର୍ଟ କହିଛନ୍ତି ଯେ କେବଳ ହଜାର ହଜାର କିମ୍ବା ଲକ୍ଷ ଲକ୍ଷ ଇ-ଚାଲାଣ କାଟିଦେବା ଯଥେଷ୍ଟ ନୁହେଁ; ପ୍ରକୃତରେ ଚାଲାଣ ଅର୍ଥ ଆଦାୟ କରିବା ହେଉଛି ବଡ଼ ଚ୍ୟାଲେଞ୍ଜ୍।
ଜଷ୍ଟିସ୍ ପାର୍ଦିୱାଲା କହିଥିଲେ ଯେ ଯଦି କେହି ଟ୍ରାଫିକ୍ ଚାଲାଣ ଦେଉନାହାନ୍ତି, ତେବେ ସେହି ବକେୟା ଅର୍ଥକୁ ବିଦ୍ୟୁତ୍ ବିଲ୍ର ବକେୟା ସହ ଯୋଡ଼ିବାର ଉପାୟ ଉପରେ କାମ କରାଯାଇପାରେ। କୋର୍ଟଙ୍କ ମତରେ ବିଦ୍ୟୁତ୍ ବିଲ୍ ପରି ଆବଶ୍ୟକ ସେବା ସହ ଏହି ବକେୟାକୁ ଯୋଡ଼ାଗଲେ ଲୋକମାନେ ଚାଲାଣ ଅର୍ଥ ପୈଠ କରିବାକୁ ବାଧ୍ୟ ହୋଇପାରନ୍ତି। ତେବେ ଏହି ପଦକ୍ଷେପ କିପରି ଆଇନଗତ ଓ ପ୍ରଶାସନିକ ଭାବେ କାର୍ଯ୍ୟକାରୀ କରାଯିବ, ସେନେଇ ରାଜ୍ୟଗୁଡ଼ିକୁ ବ୍ୟବହାରିକ ବ୍ୟବସ୍ଥା ଖୋଜିବାକୁ କୁହାଯାଇଛି।
ବକେୟା ଚାଲାଣ ଆଦାୟ ପାଇଁ କୋର୍ଟ ଆହୁରି କେତେକ କଡ଼ା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି। ବକେୟା ଚାଲାଣ ଦେଇନଥିଲେ ଗାଡ଼ିର ରେଜିଷ୍ଟ୍ରେସନ୍ ନବୀକରଣ ରୋକିବା, ଡୁପ୍ଲିକେଟ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଜାରି ନକରିବା, ଗାଡ଼ିର ମାଲିକାନା ପରିବର୍ତ୍ତନ ରୋକିବା, ଫିଟନେସ୍ ସାର୍ଟିଫିକେଟ୍ ଓ ପିୟୁସି ସାର୍ଟିଫିକେଟ୍ ଜାରି/ନବୀକରଣ ଉପରେ ରୋକ୍, ଡ୍ରାଇଭିଂ ଲାଇସେନ୍ସ ନବୀକରଣ ରୋକିବା, ଓ ବକେୟା ଚାଲାଣ ଥିବା ଗାଡ଼ିକୁ ପରିବହନ ପୋର୍ଟାଲରେ ବ୍ଲାକ୍ଲିଷ୍ଟ କରିବା ଭଳି ବ୍ୟବସ୍ଥା ଉପରେ ବିଚାର କରାଯାଇପାରେ ବୋଲି କୋର୍ଟ କହିଛନ୍ତି।
ବକେୟା ଚାଲାଣ ଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ ପାଇଁ ରାସ୍ତାରେ ନିୟମିତ ଯାଞ୍ଚ କରାଯିବା ନେଇ ମଧ୍ୟ ଖଣ୍ଡପୀଠ ଆଲୋଚନା କରିଛନ୍ତି। ଯାଞ୍ଚ ସମୟରେ କୌଣସି ଗାଡ଼ିର ବକେୟା ଇ-ଚାଲାଣ ଥିବା ଜଣାପଡ଼ିଲେ ନିୟମ ଅନୁସାରେ ଆବଶ୍ୟକ ପଦକ୍ଷେପ, ଏପରିକି ଗାଡ଼ି ଜବତ କରିବା ଭଳି ବ୍ୟବସ୍ଥା ନେବା ଉପରେ ମଧ୍ୟ କୋର୍ଟ ମତ ଦେଇଛନ୍ତି।