ନୂଆଦିଲ୍ଲୀ: ଯେଉଁ ଯାତ୍ରୀମାନଙ୍କୁ ନିୟମିତ ବିମାନରେ ଯିବାଆସିବା କରିବାକୁ ପଡ଼ୁଛି ସେମାନଙ୍କ ପାଇଁ ଖୁସୀ ଖବର। କାରଣ ଆଜି ଠାରୁ ଆରମ୍ଭ ହୋଇଛି ଡିଜି ଯାତ୍ରା(Digi Yatra)। ନା ନା ଏହା କୌଣସି ତୀର୍ଥ ଯାତ୍ରା ନୁହେଁ କି ଯାତ୍ରା ସମ୍ପର୍କିତ କୌଣସି ସରକାରୀ ଯୋଜନା ନୁହେଁ। ବରଂ ଏହା ଯାତ୍ରୀଙ୍କ ସୁବିଧା ପାଇଁ ହୋଇଥିବା ଏକ ନୂଆ ଅତ୍ୟାଧୁନିକ ବ୍ୟବସ୍ଥା।
ଏହି ସେବା ଲାଗୁ ହେବା ପରେ ଯାତ୍ରୀଙ୍କୁ ବିମାନ ବନ୍ଦରରେ ପ୍ରବେଶ ପାଇଁ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ। ଖୁବ୍ଶୀଘ୍ର ଡିଜିଟାଲ ଚିହ୍ନଟକରଣ ପ୍ରକ୍ରିୟା ମାଧ୍ୟମରେ ଯାତ୍ରୀଙ୍କୁ ବିମାନବନ୍ଦରରେ ପ୍ରବେଶ ମିଳିବ। ଦିଲ୍ଲୀ, ବେଙ୍ଗାଲୁରୁ ଓ ବାରଣସୀ ଏହି ସେବା ଲାଗୁ ହୋଇଛି। ଫଳରେ ଏହି ବିମାନବନ୍ଦର ଗୁଡ଼ିକରେ ଯାତ୍ରୀଙ୍କ ପ୍ରବେଶ ନିୟମ ବଦଳିଯାଇଛି।
ଚେହେରା ଚିହ୍ନଟ କରାଯାଇ ବିମାନବନ୍ଦରରେ ପ୍ରବେଶର ଏହି ପ୍ରକ୍ରିୟା(Digi Yatra) କୁ ଆଜି ଦିଲ୍ଲୀ ବିମାନବନ୍ଦରରେ ଶୁଭାରମ୍ବ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଫଳରେ ଯାତ୍ରୀଙ୍କୁ ପ୍ରବେଶ ପାଇଁ ଆଉ ବୋର୍ଡିଂ ପାସ୍ର ଆବଶ୍ୟକତା ପଡ଼ିବ ନାହିଁ।
ଏବେ ଯାତ୍ରୀ ପେପର୍ ଲେସ୍ ହୋଇ ଏୟାରପୋର୍ଟରେ ପ୍ରବେଶ କରିବେ। କେବଳ ଚେହେରା ଚିହ୍ନଟକରଣ ପ୍ରକ୍ରିୟାରେ ବିମାନବନ୍ଦରରେ ପ୍ରବେଶ ମିଳିବ। ତେବେ ଏଥିପାଇଁ ଯାତ୍ରୀଙ୍କୁ ପ୍ରଥମେ Digi Yatraକୁ ନାଁ ପଞ୍ଜୀକରଣ କରିବାକୁ ପଡ଼ିବ। ତା ପରେ ଯାଇ ଗ୍ରାହକ ଏହି ସୁବିଧା ପାଇପାରିବେ।
ଡିଜିଯାତ୍ରା ଆପରେ ନାଁ ପଞ୍ଜୀକରଣ କରିବା ପାଇଁ ଆଧାରକାର୍ଡର ତଥ୍ୟ ଦିଆଯିବ। ତା ସହିତ ଯାତ୍ରୀଙ୍କୁ ନିଜ ଫଟୋ ବି ଉଠାଇବାକୁ ପଡ଼ିବ। ଏୟାରପୋର୍ଟ ଇ-ଗେଟରେ ଯାତ୍ରୀ କୋର୍ଡୱାଲା ବୋର୍ଡିଂ ପାସ୍ ସ୍କାନ କରିବାକୁ ପଡ଼ିବ। ଏହାପରେ ସେଠାରେ ଲାଗିଥିବା ‘ଫେସିଆଲ ରିକଗ୍ନେଶନ'(ଚେହେରା ଚିହ୍ନଟ ପ୍ରକ୍ରିୟା)ରେ ଫଟୋ ଦେବା ପରେ ଏଣ୍ଟ୍ରି ପ୍ରକ୍ରିୟା ଶେଷ ହେବ।