ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ସିଇଓ ଆର୍‌.ଏସ୍‌ ଗୋପାଳନ୍‌

୨୦୦୧ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌ ଆର୍‌.ଏସ୍‌ ଗୋପାଳନ୍‌

ଭୁବନେଶ୍ୱର, ୦୧/୧୦: ଓଡ଼ିଶାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍‌.ଏସ୍‌. ଗୋପାଳନଙ୍କ ସ୍ୱେଚ୍ଛାକୃତ ଅବସର (VRS) ଆବେଦନ। ୨୦୦୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀ ଗୋପାଳନ ସ୍ୱାସ୍ଥ୍ୟଗତ ଓ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରିରୁ ଆଗୁଆ ଅବସର ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

ଗୋପାଳନ ଗତ ପ୍ରାୟ ଦୁଇ ବର୍ଷ ଧରି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ୨୦୨୪ ଜୁଲାଇରେ ତାଙ୍କୁ ଓଡ଼ିଶାର CEO ଭାବେ ନିଯୁକ୍ତ କରାଯାଇଥିଲା ଏବଂ ସେ ଜୁଲାଇ ୨୬, ୨୦୨୪ରେ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଅବକାରୀ ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି।

ସ୍ୱାଭାବିକ ଭାବେ ଗୋପାଳନଙ୍କ ଚାକିରି ଅବଧି ୨୦୨୮ ଜୁନ୍‌ରେ ଶେଷ ହେବାକୁ ଥିଲା। ଅର୍ଥାତ୍‌ ଅବସର ନେବା ପାଇଁ ତାଙ୍କ ନିକଟରେ ଆହୁରି ପ୍ରାୟ ଦେଢ଼ ବର୍ଷ ସମୟ ଥିଲା। ଏହା ସତ୍ତ୍ୱେ ସେ ଆଗୁଆ VRS ପାଇଁ ଆବେଦନ କରିଛନ୍ତି।

ଓଡ଼ିଶାରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍ସିଭ୍‌ ରିଭିଜନ୍‌ (SIR) ପ୍ରକ୍ରିୟା ଶେଷ ହେବା ପରେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ‌ କରିଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲା। SIR ପୂର୍ବରୁ ରାଜ୍ୟରେ ପ୍ରାୟ ୩.୩୪ କୋଟି ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ମୋଟ ଭୋଟର ସଂଖ୍ୟା ପ୍ରାୟ ୩.୧୬ କୋଟି ରହିଛି।