ସିଜେପି ଆନ୍ଦୋଳନ ପୂର୍ବରୁ କଟକଣାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍ବେଗ
୫୭ ମେଟ୍ରୋ ଷ୍ଟେସନ ବନ୍ଦ ନିଷ୍ପତ୍ତିର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ନୂଆଦିଲ୍ଲୀ, ୦୯/୧୦: ସିଜେପି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଟ୍ରେନ୍ ବାତିଲ, ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ଏବଂ ବିଭିନ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଯିବା ଭଳି ସୁରକ୍ଷା ପଦକ୍ଷେପକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଆଇନଶୃଙ୍ଖଳା ବଜାୟ ରଖିବା ସରକାର ଓ ପ୍ରଶାସନର ଦାୟିତ୍ୱ ହୋଇଥିଲେ ମଧ୍ୟ ଏଥିପାଇଁ ସାଧାରଣ ଲୋକଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ କରାଯାଇପାରିବ ନାହିଁ ବୋଲି କୋର୍ଟ ମତ ଦେଇଛନ୍ତି। ବିଶେଷ କରି ମେଟ୍ରୋ ଷ୍ଟେସନ ବନ୍ଦ କରିବା ନିଷ୍ପତ୍ତିର ପୁନଃସମୀକ୍ଷା କରିବା ସହ ଯେତେ ସମ୍ଭବ କମ୍ ଷ୍ଟେସନ ବନ୍ଦ ରଖିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।
ଆସନ୍ତା ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀର ଜନ୍ତରମନ୍ତରଠାରେ ସିଜେପି ଏବଂ କିଛି ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ କରିବାକୁ ଡାକରା ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଏହି ପ୍ରତିବାଦ କରାଯିବ।
ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇପାରନ୍ତି ବୋଲି ଆଶଙ୍କା କରି ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆନ୍ଦୋଳନ ପାଇଁ ପୁଲିସ ଅନୁମତି ମିଳିନଥିବା ନେଇ ମଧ୍ୟ ଖବର ଆସିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ଆଇନଶୃଙ୍ଖଳା ପରିସ୍ଥିତି ଯେପରି ଅଣାୟତ୍ତ ନ ହୁଏ, ସେଥିପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଛି।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ମେଟ୍ରୋର ୫୭ଟି ଷ୍ଟେସନରେ ଅକ୍ଟୋବର ୯ ତାରିଖ ରାତି ୯ଟାରୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏହି କଟକଣା ଅକ୍ଟୋବର ୧୦ ତାରିଖରେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଜାରି ରହିବ। ଏହା ସହ ଦିଲ୍ଲୀକୁ ଆସିବାକୁ ଥିବା କେତେକ ଟ୍ରେନ୍କୁ ମଧ୍ୟ ବାତିଲ କରାଯାଇଛି।
ଏହି ନିଷ୍ପତ୍ତି ଯୋଗୁଁ ଦିଲ୍ଲୀରେ ଦୈନନ୍ଦିନ ଯାତାୟାତ କରୁଥିବା ଲୋକ, ଛାତ୍ରଛାତ୍ରୀ ଏବଂ କର୍ମଜୀବୀଙ୍କୁ ଅସୁବିଧା ହୋଇପାରେ। ଏହି କଟକଣାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି।
କୋର୍ଟ ଏହାର ଶୁଣାଣି କରି କହିଛନ୍ତି ଯେ, ସମସ୍ତ ଷ୍ଟେସନ ବନ୍ଦ କରିବା ପରିବର୍ତ୍ତେ ଯେଉଁ ସ୍ଥାନଗୁଡ଼ିକରେ ସୁରକ୍ଷା ବିପଦ ଅଧିକ ରହିଛି, ସେଠାରେ ଆବଶ୍ୟକ କଟକଣା ଲଗାଯାଉ। ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଟ୍ରେନ ଚଳାଚଳ ବନ୍ଦ କର ସଂଖ୍ୟା କମାଇ ଦିଆଯାଉ। ଆନ୍ଦୋଳନ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ପ୍ରଶାସନର ଦାୟିତ୍ୱ। କିନ୍ତୁ ଏହି ଦାୟିତ୍ୱ ନିର୍ବାହ କରିବା ପାଇଁ ଏପରି ପଦକ୍ଷେପ ନିଆଯିବା ଉଚିତ ନୁହେଁ, ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନଯାପନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଯିବ।
ତେଣୁ ଦୁଇଟି ଦିଗକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରଥମଟି ହେଉଛି, ଆନ୍ଦୋଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଘଟିବା ପାଇଁ ସୁରକ୍ଷା ବ୍ୟବସ୍ଥା। ଦ୍ୱିତୀୟଟି ହେଉଛି, ଆନ୍ଦୋଳନରେ ସିଧାସଳଖ ସମ୍ପୃକ୍ତ ନଥିବା ଲୋକମାନେ ଯେପରି ଅଯଥା ହଇରାଣ ନ ହୁଅନ୍ତି।
କେବଳ ମେଟ୍ରୋ ଓ ଟ୍ରେନ୍ ଚଳାଚଳ ନୁହେଁ, ଦିଲ୍ଲୀର ବିଭିନ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଯିବା ସହ ଯାତାୟାତ ଉପରେ ମଧ୍ୟ କଟକଣା ଲଗାଯାଇଛି।