ମମିତା ମେହେର ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ

କଟକ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ । ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ । ପୁଅ ଏବଂ ପତ୍ନୀଙ୍କ ଅସୁସ୍ଥତାର କାରଣ ଦର୍ଶାଇ ଗୋବିନ୍ଦ ସାହୁ ହାଇକୋର୍ଟଙ୍କ ନିକଟରେ ଜାମିନ ଆବେଦନ କରିଥିଲା ।

ତେବେ ଗୋବିନ୍ଦର ଆବେଦନକୁ ଗ୍ରହଣ କରିବା ସହ ମାତ୍ର ଦୁଇ ସପ୍ତାହର ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଜାମିନରେ ଯିବାକୁ ହେଲେ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପଡିବ । ସେ କୌଣସି ପ୍ରମାଣ ନଷ୍ଟ କରିବ ନାହିଁ, ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି କୋର୍ଟ ସର୍ତ୍ତରେ କହିଛନ୍ତି ।

ପୂର୍ବରୁ ଫେବୃଆରୀ ୧୧ ତାରିଖରେ ମମିତା ମେହେର ହତ୍ୟା ଘଟଣାରେ ଚାର୍ଜସିଟ ଦାଖଲ କରିଥିଲା ବଲାଙ୍ଗୀର ପୋଲିସ । ବଙ୍ଗୋମୁଣ୍ଡା JMFC କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ନାଁରେ ଚାର୍ଜସିଟ ଦାଖଲ ହୋଇଥିଲା । ୧୨୦ ଦିନ ପୂର୍ବରୁ ବଲାଙ୍ଗୀର ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ୨ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଥିଲା ।