ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଜର୍ଦାରିଙ୍କ ଆପତ୍ତିଜନକ ବୟାନର ଦୃଢ ପ୍ରତିବାଦ କରିଛି ଭାରତ । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରିକରି ଅତ୍ୟନ୍ତ କଠୋର ଭାଷାରେ ପାକିସ୍ତାନକୁ ଭର୍ତ୍ସନା କରାଯାଇଛି ।
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ପାକିସ୍ତାନର ମାନଦଣ୍ଡ ଦୃଷ୍ଟିରୁ ବି ଏହା ଅତ୍ୟନ୍ତ କଦର୍ଯ୍ୟ କଥା । ଭାରତର ବିଜୟ ଦିବସକୁ ମନେ ପକାଇ ସେ କହିଛନ୍ତି ଯେ ୧୯୭୧ର ଇତିହାସକୁ ପାକିସ୍ତାନ ଭୁଲିଯାଇଛି, ଯାହା ଥିଲା ସଂଖ୍ୟାଲଘୁଙ୍କ ଉପରେ ପାକିସ୍ତାନର ଗଣସଂହାରର ଫଳ । କିନ୍ତୁ ଏଥିରୁ ପାକିସ୍ତାନ କିଛି ଶିକ୍ଷା କରିଥିବା ମନେହେଉନାହିଁ ଓ ସଂଖ୍ୟାଲଘୁଙ୍କ ପ୍ରତି ପାକିସ୍ତାନର ମନୋଭାବରେ କୌଣସି ପରିବର୍ତ୍ତନ ଆସିନାହିଁ ।