ବିମାନରେ ମହିଳା ଯାତ୍ରୀଙ୍କୁ ପରିବେଷଣ ହୋଇଥିବା ଭୋଜନରୁ ପଥର ବାହାରିବା ପରେ ପୁଣି ବିବାଦରେ ଛନ୍ଦିହେଲା ଏୟାର ଇଣ୍ଡିଆ

ବିମାନ ଭିତରେ ବିଶୃଙ୍ଖଳିତ ଯାତ୍ରୀଙ୍କ ଉଚ୍ଛଙ୍ଖଳିତ ଆଚରଣ ପାଇଁ ସମାଲୋଚନା ଏବଂ ଯାଞ୍ଚର ସମ୍ମୁଖୀନ ହେଉଥିବା ଏୟାର ଇଣ୍ଡିଆ ପୁଣି ଆଉ ଏକ ନୂଆ ବିବାଦରେ ଛନ୍ଦିହୋଇ ପଡିଛି। ଏଥର, ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ପରିବେଷଣ କରାଯାଇଥିବା ଭୋଜନରୁ ଏକ ପଥର ଖଣ୍ଡ ବାହାରିବା ପରେ ଏବେ ଅଡ଼ୁଆରେ ପଡ଼ିଛି ଏୟାର ଇଣ୍ଡିଆ।

ଏୟାର ଇଣ୍ଡିଆ ବିମାନ ୨୧୫ରେ ଯାତ୍ରା କରୁଥିବା ସର୍ବପ୍ରିୟା ସାଙ୍ଗୱାନ ନାମ୍ନୀ ଜନୈକା ଯାତ୍ରୀଙ୍କ ଭୋଜନରୁ ପଥର ଖଣ୍ଡ ବାହାରିଛି। ଏହାପରେ ସେ ତାଙ୍କ ଟ୍ଵିିଟର ହାଣ୍ଡେଲରେ ଭୋଜନର ଦୁଇଟି ଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ଏକ ଛୋଟ ପଥର ଖଣ୍ଡ ଦେଖିବାକୁ ମିଳୁଛି। ସେ ଏହି ଟ୍ଵିିଟ୍‌କୁ ଏୟାର ଇଣ୍ଡିଆକୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘ଏୟାର ଇଣ୍ଡିଆ, ପଥରମୁକ୍ତ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ ସମ୍ବଳ ଏବଂ ଅର୍ଥର ଆବଶ୍ୟକତା ନାହିଁ। ଆଜି ବିମାନ ଏଆଇ ୨୧୫ରେ ପରିବେଷଣ କରା ଯାଇଥିବା ମୋର ଖାଦ୍ୟରେ ମୁଁ ଏହାକୁ ପାଇଲି। କ୍ରୁ ସଦସ୍ୟ, ଶ୍ରୀମତୀ ଜାଡନଙ୍କୁ ସୂଚନା ଦିଆଯାଇଥିଲା। ଏ ପ୍ରକାରର ଅବହେଳା ଗ୍ରହଣୀୟ ନୁହେଁ।’