ଆସନ୍ତା ସପ୍ତାହରେ ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଦୁଇ ଦିନ ହେବ ପୁରସ୍କାର ସମାରୋହ

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦରେ ଖୁବ୍ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଆସନ୍ତା ସପ୍ତାହରେ ଚଳଚ୍ଚିତ୍ର ପୁରସ୍କାର ଓ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଦୁଇ ଦିନ ବ୍ୟାପୀ ଏହି ସମାରୋହ ଆୟୋଜନ କରାଯିବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୧୩ ଓ ୧୪ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆପାତତଃ ସ୍ଥିର ହୋଇଛି। ଖୁବ୍ ଶୀଘ୍ର ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ।
୨୦୧୯ ମସିହା ପାଇଁ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଇନଗତ ବିବାଦରେ ଛନ୍ଦି ହେବା ପରେ ଏହି ପୁରସ୍କାର ଅଟକି ରହିଥିଲା। କପି ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯିବା ନେଇ ନିର୍ଦ୍ଦେଶକ ବବି ଇସଲାମ ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ଜାନୁଆରି ୧୮ ତାରିଖ ରେ ହାଇକୋର୍ଟ ଏହି ମାମଲାର ରାୟ ଶୁଣେଇବା ସହ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାକୁ ରଦ୍ଦ କରି ଦେଇଥିଲେ। ଏଥି ସହ ଏକ ମାସ ଭିତରେ ସାନି ତାଲିକା ଘୋଷଣା କରିବାକୁ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।