କାରରେ ସ୍ତ୍ରୀକୁ ଛାଡି ଫେରାର ହେଲେ ନବବିବାହିତ ଯୁବକ, ସାହାଯ୍ୟ କଲା ବେଙ୍ଗାଲୁରୁ ଟ୍ରାଫିକ

କାରରେ ସ୍ତ୍ରୀକୁ ଛାଡି ଫେରାର ହେଲେ ନବବିବାହିତ ଯୁବକ। ସାହାଯ୍ୟ କଲା ବେଙ୍ଗାଲୁରୁ ଟ୍ରାଫିକ ଜାମ୍। ଚାକିରି ପାଇଁ ବେଙ୍ଗାଲୁରୁ ସହରକୁ ଏକାଧିକ ଲୋକ ଆସୁଥିବା ବେ‌ଳେ ଏବେ ସହରର ଜନସଂଖ୍ୟା ବୃଦ୍ଧି ପାଇଛି। ଏହା ସହ ଟ୍ରାଫିକ ମଧ୍ୟ ବଢ଼ିଛି। ପୂର୍ବରୁ ବେଙ୍ଗାଲୁରୁ ଟ୍ରାଫିକକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଟ୍ରାଫିକ ଜାମର ସୁବିଧା ନେଇ ଜଣେ ଯୁବକ, ସ୍ତ୍ରୀକୁ ଗାଡ଼ି ଭିତରେ ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଫେବ୍ରୁଆରି ୧୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦମ୍ପତି। ଫେବ୍ରୁଆରି ୧୬ରେ ଦୁହେଁ ଚର୍ଚ୍ଚ ଯାଇଥିବା ବେ‌ଳେ ସେଠାରୁ ଫେରିବା ବେଳେ ଏହି ଘଟଣା ଘଟିଥିଲା। ଟ୍ରାଫିକ ଜାମରେ କାର ଫସିବା ପରେ ସ୍ତ୍ରୀକୁ କାରରେ ଛାଡ଼ି ଚାଲିଯାଇଥିଲେ ଯୁବକ। ମାର୍ଚ୍ଚ ୫ରେ ମହିଳାଜଣକ ଏନେଇ ଅଭିଯୋଗ କରିବା ସହ ସ୍ବାମୀଙ୍କର ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବାରୁ ସେ ଏଭଳି କରିଥିବା ପୁଲିସକୁ କହିଛନ୍ତି।

ମହିଳାଜଣକ ପୁଲିସକୁ କରିଥିବା ଅଭିଯୋଗ ମୁତାବକ, ବିବାହ ପୂର୍ବରୁ ସ୍ବାମୀଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ ମହିଳା। ହେଲେ ବିବାହ ପରେ ପ୍ରେମିକାକୁ ଛାଡ଼ିଦେବି ବୋଲି ସ୍ବାମୀ କହିବାରୁ ମହିଳା ବିବାହ ପାଇଁ ରାଜି ହୋଇଥିଲେ। ୨୨ବର୍ଷୀୟା ମହିଳାଙ୍କ କହିବା ଅନୁଯାୟୀ, ସ୍ବାମୀ ଜର୍ଜ ଚିକ୍କାବାଲାପୁର ଜିଲ୍ଲାର ଚିନ୍ତାମଣିର ବାସିନ୍ଦା।‌ ସେ କର୍ଣ୍ଣାଟକ ଏବଂ ଗୋଆରେ ଏକ କମ୍ପାନି ଚଳାଇବାରେ ତାଙ୍କ ବାପାଙ୍କୁ ସାହାଯ୍ୟ କରୁଥିଲେ। ଗୋଆରେ କମ୍ପାନିର କାମ ବିଷୟରେ ବୁଝାବୁଝି କରୁଥିବା ବେଳେ ଜଣେ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଗଢ଼ିଉଠିଥିଲା।