ଏପ୍ରିଲ ୨୦୧୯ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆ ବହନ କରିଛନ୍ତି’ ବୋଲି ରାହୁଲ୍ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ଉପରେ ଆଗତ ମାନହାନି ମାମଲାର ଆଜି ଶୁଣାଣି କରି ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତର ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍. ଏଚ୍. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧିଙ୍କୁ ୨ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ତାଙ୍କୁ ୧୫ହଜାର ଟଙ୍କାର ଜରିମାନା ରାଶି ପୈଠ କରିବାକୁ ବି ଆଦେଶ ରହିଛି।
ରାହୁଲଙ୍କୁ ଏଭଳି ଦଣ୍ଡ ମିଳିବା ପରେ ଏବେ କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି। ରାହୁଲଙ୍କ ସମର୍ଥକ ଅଦାଲତଙ୍କ ଏଭଳି ରାୟକୁ ବିରୋଧ କରୁଥିବା ବେଳେ କଂଗ୍ରେସ ନିଜର ଅଧିକାରୀକ ଇନଷ୍ଟା, ଫେସବୁକ ଓ ଟ୍ବିଟର ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇଛି। ପ୍ରୋଫାଇଲ ଫଟୋରେ ରାହୁଲଙ୍କ ‘ଭାରତ ଯୋଡୋ ଯାତ୍ରା’ ସମୟର ଫଟୋ ରହିଥିବା ସହ ସେଥିରେ ‘ଡର ନାହିଁ’ ବୋଲି ଲେଖାଯାଇଛି।