ସୂର୍ଯ୍ୟପୃଷ୍ଠରେ ଦେଖିବାକୁ ମିଳିଲା ବିଶାଳ ‘ଗର୍ତ୍ତ’! ଜାଣନ୍ତୁ; ପୃଥିବୀ ଉପରେ କ’ଣ ରହିବ ଏହାର ପ୍ରଭାବ…

ଆମେରିକୀୟ ମହାକାଶ ସଂସ୍ଥା ନାସାର ବୈଜ୍ଞାନିକମାନେ ସୂର୍ଯ୍ୟ ପୃଷ୍ଠରେ ଏକ ବିଶାଳ କଳା ଅଞ୍ଚଳ ବା ଗର୍ତ୍ତ ଦେଖିବାକୁ ପାଇଛନ୍ତି; ଯାହାକି ଆକାରରେ ଆମ ପୃଥିବୀ ଠାରୁ ୨୦ ଗୁଣ ବଡ଼ ହେବ। ଭାଇସ୍‌ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ‘କୋରୋନାଲ ହୋଲ’ କହାଯାଉଥିବା ଏହି ବିଶାଳ ଗର୍ତ୍ତକୁ ଦେଖିଲେ ସୂର୍ଯ୍ୟର କିଛି ଶକ୍ତି ଅଦୃଶ୍ୟ ହୋଇ ଯାଇଥିବା ପରି ମନେହେଉଛି । ସୂର୍ଯ୍ୟ ପୃଷ୍ଠରେ ଏହି ଗର୍ତ୍ତ ଦେଖାଯିବା ପରେ ଆମେରିକାର ଫେଡେରାଲ ଏଜେନ୍‌ସି ଏନଓଏଏ ଭୂ-ଚୁମ୍ବକୀୟ ଝଡ଼ ପାଇଁ ସତର୍କ ସୂଚନା ଜାରି କରିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଗର୍ତ୍ତର ପ୍ରଭାବରେ ପୃଥିବୀ ଆଡ଼କୁ ଘଣ୍ଟା ପ୍ରତି ୨.୯ ନିୟୁତ କିଲୋମିଟର ବେଗରେ ସୌର ଝଡ଼ ପ୍ରବାହିତ ହେଉଛି, ଯାହା ଶୁକ୍ରବାର ପୃଥିବୀକୁ ଧକ୍କା ଦେବ।

ଏହି ସୌର ଝଡ଼ ଆମ ପୃଥିବୀ ଉପରେ କ’ଣ ପ୍ରଭାବ ପକାଇବ ତାହା ଆକଳନ କରିବା ପାଇଁ ପରିସ୍ଥିତି ଉପରେ ନଜର ରଖାଯାଇଛି। ସୂର୍ଯ୍ୟ ପୃଷ୍ଠରେ ସୃଷ୍ଟି ହେଉଥିବା ଶକ୍ତିଶାଳୀ କଣିକାଗୁଡ଼ିକର ନିରନ୍ତର ପ୍ରବାହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର, ଉପଗ୍ରହ, ମୋବାଇଲ ଫୋନ୍‌  ନେଟୱାର୍କ ଏବଂ ଜିପିଏସ୍‌କୁ ପ୍ରଭାବିତ କରିଥାଏ ବୋଲି ଜଣାଯାଇଛି।