ଏଣିକି ଉପଯୁକ୍ତ ଜଣିକିଆ ଖଣ୍ଡପୀଠ ସୁପରଷ୍ଟାର ଅନୁଭବ-ବର୍ଷା ବିବାଦ ପ୍ରସଙ୍ଗରେ ଶୁଣାଣି ହେବ

କଟକ: ଏଣିକି ଉପଯୁକ୍ତ ଜଣିକିଆ ଖଣ୍ଡପୀଠ ସୁପରଷ୍ଟାର ଅନୁଭବ-ବର୍ଷା ବିବାଦ ପ୍ରସଙ୍ଗରେ ଶୁଣାଣି ହେବ । ଏ ନେଇ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜ‌ଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୧୧ରେ ହେବା ପାଇଁ ଅଦାଲତ ଧାର୍ଯ୍ୟ କରିଛନ୍ତି। ସୂଚନଯୋଗ୍ୟ ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ କରି ବର୍ଷା ଓ ଅନୁଭବ କେଣସି ମନ୍ତବ୍ୟ ପୋଷ୍ଟ କରି ପାରିବେ ନାହିଁ ବୋଲି ଅବକାଶକାଳୀନ ଖଣ୍ଡପୀଠ ବର୍ଷାଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ ଅନୁଭବ ବର୍ଷାଙ୍କ ପ୍ରସଙ୍ଗକୁ ନେଇ କେଣସି ଭିଡିଓ ଅପଲୋଡ୍ କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ଅନୁଭବଙ୍କ ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଛାଡିଥିଲେ ଓ ମନ୍ତବ୍ୟ ରଖିଥିଲେ। ଏ ନେଇ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଭିଡିଓ ଛାଡି ବିଭିନ୍ନ କଥା କହୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏହି ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପରିବାର ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ କଥା ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। କେଣସି ସତ୍ୟତା ନଥିବା ଓ ଭିତ୍ତିହୀନ କଥା ସବୁ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କୁହାଯାଉଛି। ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ ଅଙ୍କୁଶ ଜାରି କରାଯିବା ଆବଶ୍ୟକ ବୋଲି ବର୍ଷାଙ୍କ ଆବେଦନରେ ଦର୍ଶାଯାଇଥିଲା। ବର୍ଷାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ଓ ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।