ନୂପୁର ଶର୍ମାଙ୍କୁ ଗିରଫ କରିବା ଉଚିତ: ମମତା ବାନାର୍ଜୀ

ନୂପୁର ଶର୍ମାଙ୍କୁ ଗିରଫ କରିବା ଉଚିତ୍। ହେଲେ ଏତେ ବିଳମ୍ବ କାହିଁକି। କାହା ଚାପରେ ଦିଲ୍ଲୀ ପୋଲିସ। ଦେଶରେ ଏତେ ସବୁ ଘଟିଗଲା ପରେ ଦିଲ୍ଲୀ ପୋଲିସ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଲ୍ଲୀ ପୋଲିସ ଉପରେ ବର୍ଷିଛନ୍ତି ମମତା। ଏମିତିକି ବିଜେପିକୁ ଟାର୍ଗେଟ କରିବାକୁ ପଛେଇ ନାହାନ୍ତି ପଶ୍ଚିମ ମୁଖ୍ୟମନ୍ତ୍ରୀ । କହିଛନ୍ତି ପ୍ରଫେଟ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ମନ୍ତବ୍ୟ ସହ ଜଡିତ ବିବାଦ ହେଉଛି ବିଜେପି କରିଥିବା ଷଡଯନ୍ତ୍ରର ଫଳାଫଳ। ଦେଶରେ ଯାହା କିଛି ହେଉଛି ଏଥିପାଇଁ ବିଜେପି ଦାୟୀ। ବିଜେପି ନୂପୁରଙ୍କୁ ବ୍ୟବହାର କରିଛି। ବିଜେପି କରିଥିବା ଚାଲ ଫେଲ ମାରିଥିବାରୁ ଆଜି ଦେଶରେ ଏଭଳି ସ୍ଥିତି ଉପୁଜିଛି ବୋଲି ମମତା କହିଛନ୍ତି।

ଦିଲ୍ଲୀ ପୋଲିସର ଭୂମିକାକୁ କାଠଗଡ଼ାରେ ଠିଆ କରିଛନ୍ତି ମମତା। ବର୍ତ୍ତମାନ ପର୍ଯ୍ୟନ୍ତ ନୂପୁର ଶର୍ମାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିନାହିଁ ଯାହା ଦିଲ୍ଲୀ ପୋଲିସ ଚାପରେ ରହିଥିବା କଥାକୁ ପ୍ରମାଣିତ କରିଛି। କାହା ଚାପରେ ଏବଂ କାହା ଆଦେଶକୁ ଦିଲ୍ଲୀ ପୋଲିସ ଅନୁ ପାଳନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ମମତା। ଖୋଲାଖୋଲି ଭାବେ ନୂପୁର ଶର୍ମାଙ୍କ ଗିରଫଦାରୀ ଦାବି କରିଛନ୍ତି ମମତା ବାନାର୍ଜୀ । କହିଛନ୍ତି ଯେ ନିଆଁ ସହିତ କେହି ଖେଳି ପାରିବେ ନାହିଁ’। ଯିଏ ସାହସ କରିବ ତାର ପରିଣତି ଭୟଙ୍କର ହେବ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର କନକ୍ଲେଭ ଇଷ୍ଟରେ ଯୋଗ ଦେଇ ମମତା ନୂପୁର ଶର୍ମା ପ୍ରସଙ୍ଗକୁ ସାମ୍ନାକୁ ଆଣିଥିଲେ। କହିଥିଲେ ଦେଶରେ ଆଉ କିଛି ଘଟିବାକୁ ବାକିନାହିଁ ବିଳମ୍ବ ହେଲେ ମଧ୍ଯ ନୂପୁର ଶର୍ମାଙ୍କୁ ଗିରଫ କରିବା ଉଚିତ୍। କିନ୍ତୁ ଏଥିରେ ଗୋଟିଏ ରାଜନୈତିକ ଦଳ ହସ୍ତକ୍ଷେପ କରୁଛି। ସେଥିପାଇଁ ନୂପୁର ଶର୍ମା ବିନା ଭୟରେ ବେପରୁଆ ଭାବେ ଘରେ ରହୁଛନ୍ତି। ଏଭଳି ସ୍ଥିତିରେ ରାଜନୀତି କରିବା ବଡ଼ ଭୁଲ। ରାଜନୀତିରୁ ଉର୍ଧକୁ ଯାଇ ଚିନ୍ତା କରିବାର ଆବଶ୍ୟକତା ରହିଛି।