ରୁଷ ହାତରେ ୟୁକ୍ରେନର ଯୁଦ୍ଧଯୋଜନା, ଅନଲାଇନରେ ଲିକ୍ ହେଲା ନାଟୋର ଗୋପନ ରିପୋର୍ଟ

ରୁଷ୍ ଉପରେ ଆକ୍ରମଣ କରିବା ନିମନ୍ତେ ୟୁକ୍ରେନର ପ୍ରତିରକ୍ଷା ବାହିନୀକୁ ସୁଦୃଢ଼ କରିବା ପାଇଁ ଆମେରିକା ଏବଂ ନାଟୋ ପକ୍ଷରୁ ପ୍ରସ୍ତୁତ ଗୁପ୍ତ ସାମରିକ ଯୋଜନା  ଥିବା ଅନେକ ଗୋପନୀୟ ଦସ୍ତାବିଜ ଅନଲାଇନରେ ଲିକ୍ ହୋଇଯାଇଛି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଏସବୁ ଦସ୍ତାବିଜ ଏବେ ଟ୍ୱିଟର ଏବଂ ଟେଲିଗ୍ରାମରେ ଘୁରିବୁଲୁଛି । ଏପରି ସୁରକ୍ଷା ଉଲ୍ଲଙ୍ଘନକୁ ନେଇ ବାଇଡେନ ପ୍ରଶାସନ ଚିନ୍ତା ପ୍ରକଟ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି । ପେଣ୍ଟାଗନର ଡେପୁଟି ପ୍ରେସ୍ ସେକ୍ରେଟାରୀ ସବ୍ରିନା ସିଂହ ଗଣମାଧ୍ୟମକୁ କହିଛନ୍ତି, ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା ଖବର ବିଷୟରେ ଆମେ ଅବଗତ ଅଛୁ ଏବଂ ବିଭାଗ ଏହି ମାମଲାର ସମୀକ୍ଷା କରୁଛି।

ତେବେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ, ଲିକ୍ ହୋଇଥିବା ଦସ୍ତାବିଜରେ ଯୁଦ୍ଧ ଯୋଜନା ବିଷୟରେ କୌଣସି ଅତି ଜରୁରୀ ସୂଚନା ନାହିଁ ଏବଂ ୟୁକ୍ରେନ କେବେ ଏବଂ କିପରି ଆକ୍ରମଣ କରିବାକୁ ଚାହୁଁଛି ତାହା ମଧ୍ୟ କୁହାଯାଇନାହିଁ । ତେବେ ଦସ୍ତାବିଜଗୁଡ଼ିକ ୫ ସପ୍ତାହ ପୁରୁଣା ଓ ସେଥିରେ ରୁଷୀୟ ସେନାର ପରବର୍ତ୍ତୀ ଆକ୍ରମଣ ସମ୍ପର୍କରେ କେତେକ ତଥ୍ୟ ରହିଛି ।