ଆସିଲା ନୂଆ ଗାଇଡଲାଇନ, ଏଣିକି ୯ ନୁହେଁ ୬ ମାସ ବ୍ୟବଧାନରେ ନେଇପାରିବେ ବୁଷ୍ଟର ଡୋଜ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ମାମଲା ଧିରେଧିରେ ବଢିବାରେ ଲାଗିଛି। ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ ଗ୍ୟାପକୁ ୯ ମାସରୁ ହ୍ରାସ କରି ୬ ମାସ କରିଛନ୍ତି । ଏହା ପୂର୍ବରୁ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ ୯ ମାସ କିମ୍ୱା ୩୯ ସପ୍ତାହର ବ୍ୟବଧାନ ପରେ ଦିଆଯାଉଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି, ବିଶ୍ୱ ସ୍ତରରେ ମିଳିଥିବା ପ୍ରମାଣ ଅନୁସାରେ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅନ୍ ଇମ୍ୟୁନାଇଜେସନ (NTAGI)ର ଷ୍ଟାଡିଂ ଟେକ୍ନିକାଲ ସବ କମିଟି(STSC) ନିଜର ପୂର୍ବ ପରାମର୍ଶରେ ସଂଶୋଧନ କରିଛି।

ନୂଆ ପରାମର୍ଶ ଅନୁସାରେ ଏସଟିଏସସି କରୋନାର ଦ୍ୱିତୀୟ ଡୋଜ ଏବଂ ବୁଷ୍ଟର ଡୋଜ ନେବାର ବ୍ୟବଧାନକୁ ୬ ମାସ ଅର୍ଥାତ ୨୬ ସପ୍ତାହ କରିଛି । ନୂଆ ଘୋଷଣା ପରେ ୧୮ରୁ ୫୯ ବର୍ଷ ବୟସର ବ୍ୟକ୍ତି ଦ୍ୱିତୀୟ ଡୋଜ ନେବାର ୨୬ ସପ୍ତାହ ପରେ ବୁଷ୍ଟର ଡୋଜ ନେଇପାରିବେ।