ତୃତୀୟ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ସାଧାରଣ ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ତାର ବ୍ୟକ୍ତିଗତ ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ଜୀବନରେ ଆସିଥାଏ ରୂପାନ୍ତର ବା ସଫଳତା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ୫-ଟି ରୂପାନ୍ତର ସଂପର୍କରେ ବୁଝାଇ ସାଧୁତାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।

ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୬୨ଟି ହାଇସ୍କୁଲ, ବରଗଡ ଜିଲ୍ଲାର ୬୨ଟି, ମୟୁରଭଂଜ ଜିଲ୍ଲାର ୧୦୦ଟି, ବୌଦ୍ଧ ଜିଲ୍ଲାର ୨୩ଟି ହାଇସ୍କୁଲ ଏବଂ ନବରଙ୍ଗପୁର ଜିଲ୍ଲାର ୭୬ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ପଞ୍ଚମ ଦିନରେ ସମୁଦାୟ ୧୮୧୬ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା। ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ । ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।