ମୟୂରଝାଲିଆ ଓ କୁଶପଲ୍ଲା ବେଆଇନ୍ ପଥରଖଣି ଘଟଣା
ଚିହିଁକି ଉଠିଲା ତହସିଲ୍ ପ୍ରଶାସନ; ଭାଙ୍ଗିଲା ମାଫିଆଙ୍କ ଆଡ୍ଡାସ୍ଥଳୀ
ତହସିଲଦାର୍ ଓ ଅତିରିକ୍ତ ତହସିଲଦାର୍ ଙ୍କ ନେତତ୍ଵରେ ତହସିଲ୍ ପ୍ରଶାସନ ଓ ଚାନ୍ଦପୁର ଥାନାର ମିଳିତ ଚଢ଼ାଉ
ରଣପୁର,୧୨.୫ ( ଦର୍ଶନ ନ୍ୟୁଜ୍ ): ଗତ ବୁଧବାର ରଣପୁର ତହସିଲ୍ ପ୍ରଶାସନ ପକ୍ଷରୁ ସାତ ଜଣିଆ ଏନଫୋର୍ସମେଣ୍ଟ୍ ଟିମ୍ ଚାନ୍ଦପୁର ଥାନା ପଟିଆ ପଞ୍ଚାୟତର କୁଶପଲ୍ଲା ବେଆଇନ୍ ମାଙ୍କଡାପଥର ଖଣି ଉପରେ ଚଢାଉ କରୁଥିବାବେଳେ ଖଣିମାଫିଆମାନେ ଟିମର ସଦସ୍ୟ ମାନଙ୍କୁ ଗାଡ଼ି ଚଢ଼ାଉ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଚାନ୍ଦପୁର ଥାନା ଛାନଭିନ୍ ଜାରି ରଖିଥିବା ବେଳେ ଏବେ ଆକ୍ସନ୍ ମୁଡରେ ରଣପୁର ତହସିଲ୍ ପ୍ରଶାସନ। ରଣପୁର ତହସିଲ୍ ଚାନ୍ଦପୁର ଥାନା ଅଧିନରେ ଦୁଇ ଦୁଇଟି ବେଆଇନ୍ ପଥରଖଣି ମାମଲାରେ ମାଫିଆମାନଙ୍କୁ ସାବାଡ୍ କରିବାକୁ ଚିହିଁକି ଉଠିଛି ତହସିଲ୍ ପ୍ରଶାସନ। ତହସିଲଦାର୍ ଇପ୍ସିତ କୁମାର ସାହୁ ଓ ଅତିରିକ୍ତ ତହସିଲଦାର୍ ଅବିନାଶ ମାହାରଙ୍କ ନେତତ୍ଵରେ ତହସିଲ୍ ପ୍ରଶାସନ ଓ ଚାନ୍ଦପୁର ଥାନା ମିଳିତ ଚଢ଼ାଉ କରି ଖଣିମାଫିଆଙ୍କ ବେଆଇନ୍ ଆଡ୍ଡାସ୍ଥଳୀକୁ ବୁଲଡୋଜର୍ ଲଗେଇ ମାଟିରେ ମିଶେଇଦେଇଥବା ଜଣାପଡ଼ିଛି। ସୂଚନା ଥାଉକି, ମୟୂରଝାଲିଆ ମାଙ୍କଡାପଥର ଖଣିନିକଟରେ ପଥର ମାଫିଆମାନେ ଏକ ଆଜବେଷ୍ଟସ୍ ଘର ତିଆରିକରି ସେଠାରେ ଆଡ୍ଡା ଚଳାଇ ଆସୁଥିଲେ। ରଣପୁର ତହସିଲର ମୟୂରଝାଲିଆ ମୌଜା ଖାତା ନଂ-୪୯୫,ପ୍ଳଟ ନଂ-୧୬୮୯ରେ ତିଆରି ହୋଇଥିବା ଏଇ ଆଡ୍ଡାସ୍ଥଳୀରେ ମାଫିଆମାନେ ସମସ୍ତ ପ୍ରକାର ବ୍ୟବସାୟିକ ବ୍ଳୁ ପ୍ରିଣ୍ଟ୍ ତିଆରିକରି ବେଧଡ଼କ ପଥର କାରବାର ଦୀର୍ଘଦିନ ଧରି ଚଳାଇ ଆସୁଥିବା ସହ ଲକ୍ଷଲକ୍ଷ ଟଙ୍କା ରାଜସ୍ବ ଲୁଟୁଥିଲେ। ତେବେ ଅଚାନକ୍ ଚଢ଼ାଉକରି ବେଆଇନ୍ ଆଡ୍ଡାସ୍ଥଳୀ ଭଙ୍ଗାଯିବା ପରେ ଖଣି ମାଫିଆଙ୍କ ମନରେ ଛନକା ପଶିଛି। ଆଗାମୀ ଦିନରେ ରଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ସହ ବେଆଇନ୍ ଖଣି ଓ ଖଣିମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରଣପୁର ତହସିଲଦାର୍ ଇପ୍ସିତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।