ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ଵ
ନିମ୍ନମାନର କାର୍ଯ୍ୟ ପାଇଁ ଜନ ଅସନ୍ତୋଷ
ଅକ୍ଟୋବର ଶେଷ ସୁଦ୍ଧା ୭ଟି ବିଲ୍ଡିଂ କାମ ସାରିବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ପ୍ରତିଶ୍ରୁତି
ଭବାନୀପାଟଣା, ୧୨/୫ :(ଦର୍ଶନ ନିଉଜ) କଳାହାଣ୍ଡି ଜିଲ୍ଲା ନର୍ଲା, ମ ରାମପୁର ଓ କେସିଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ଵ। ତିନୋଟି ବିଭିଓଙ୍କ ନୂତନ ଅଫିସ ବିଲଡିଙ୍ଗ ନିର୍ମାଣ କରିବା ପାଇଁ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରତେକ ପାଇଁ ୫୫ଲକ୍ଷରୁ ଅଧିକ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଆଜିକୁ ପ୍ରାୟ ୫ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଓଡ଼ିଶା କ୍ଷୁଦ୍ର ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ବିଭାଗ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ଭୁବନେଶ୍ୱରର ଜନୈକ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ଵ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସ୍ଲାପ୍ ଲେବୁଲ ପର୍ଯ୍ୟନ୍ତ ଇଟା ଯୋଡ଼ି ହୋଇପାରି ନାହିଁ। ଆଜି ପର୍ଯ୍ୟନ୍ତ ବିଲଡିଙ୍ଗର ଯାହାବି କାମ ହୋଇଛି ତାହା ନିମ୍ନମାନର ଇଟା, ରଡ୍ ଓ ସିମେଣ୍ଟ ବ୍ୟବହାର କରାଯାଇଛି ବୋଲି ଅଭିଯୋଗ ହେଉଛି । ଏନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କୌଣସି ଅସୁବିଧା ନାହିଁ । ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲାର ୭ ଟି ନୂତନ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ୮ ଟି ନୂତନ ସେଣ୍ଟର ନିର୍ମାଣ ହେବା ପାଇଁ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ସରକାରଙ୍କ ଠାରୁ ବିଭାଗୀୟ ଡାଇରେକ୍ଟରଙ୍କୁ ଅନୁଦାନ ଆସିଥିଲା । ଟେଣ୍ଡର ଜରିଆରେ ଓଏସ୍ଆଇସିକୁ ନିର୍ମାଣ କାର୍ଯ୍ୟ ଦାୟିତ୍ଵ ଦିଆଯାଇ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଥିରେ ଜିଲ୍ଲାର କେସିଙ୍ଗା କାର୍ଯ୍ୟାଳୟ ପ୍ରଥମେ ଆରମ୍ଭ କରାଯାଇଥିଲା ଓ ତାହା ସହିତ ମ.ରାମପୁର ଏବଂ ନର୍ଲାରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ହଠାତ୍ ଗତ ମାର୍ଚ୍ଚ ମାସରୁ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ କାହିଁକି ବନ୍ଦ ହୋଇଯାଇଛି ତାହା ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅପରପକ୍ଷରେ ଗତ ମାର୍ଚ୍ଚ ମାସ ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଧର୍ମଗଡ ସବ୍ଡିଭିଜନର ୪ଟି ସ୍ଥାନରେ ନୂତନ ବିଲଡିଙ୍ଗ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଧର୍ମଗଡ ସବ୍ଡିଭିଜନର ୪ଟି ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ଭବାନୀପାଟଣା ସବ୍ ଡିଭିଜନର କେସିଙ୍ଗା, ମ.ରାମପୁର ଓ ନର୍ଲାର ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ଠପ୍ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ୮ ଟି ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ଓଏସ୍ଆଇସି ହାତରେ ଥିବା ବେଳେ ଉକ୍ତ ସଂସ୍ଥା ଜିଲ୍ଲା ବାହାରର ଜନୈକ ଠିକାଦାରଙ୍କୁ ନିର୍ମାଣ କାମ କରିବା ଦାୟିତ୍ବ ଦେଇଥିବା ଫଳରେ ଭବାନୀପାଟଣା ସବ୍ ଡିଭିଜନର ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ବିଳମ୍ୱ ହୋଇଥିବା ଖବର ସଂଗ୍ରହରୁ ଜଣାପଡିଛି। ତେବେ କେସିଙ୍ଗା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ବିଲଡିଙ୍ଗ କିପରି ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।