ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ମତ୍ସ୍ୟଜୀବୀ
କରାଚୀର ମାଲିର ଜେଲରୁ ମୁକ୍ତ ହୋଇଛନ୍ତି ମତ୍ସ୍ୟଜୀବୀ।
ପ୍ରଥମ ପର୍ଯ୍ୟାୟରେ ୧୯୮ ଜଣ ମୁକ୍ତ ହୋଇଛନ୍ତି, ଦ୍ବିତୀୟ ପର୍ଯ୍ୟାୟରେ ୨୦୦ଜଣ ଓ ତୃତୀୟ ପର୍ଯ୍ୟାୟରେ ୧୦୦ ଜଣ ମୁକ୍ତ ହେବେ।
କରାଚି : ପାକିସ୍ତାନ ଜଳସୀମାରେ ବେଆଇନ ଭାବେ ମାଛ ମାରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ବନ୍ଦୀ ଥିବା ୧୯୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷ ମୁକ୍ତ କରି ୱାଘା ସୀମାରେ ଭାରତକୁ ହସ୍ତାନ୍ତର କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ମତ୍ସ୍ୟଜୀବୀମାନଙ୍କୁ କରାଚିର ମାଲିର ଜେଲରୁ ମୁକ୍ତ କରାଯାଇଛି।ମାଲିର ଜେଲ ଅଧୀକ୍ଷକ ନଜିର ଟୁନିଓ କହିଛନ୍ତି ଯେ, “ସେମାନେ ଭାରତୀୟ ମତ୍ସ୍ୟଜୀବୀ କଏଦୀଙ୍କ ପ୍ରଥମ ବ୍ୟାଚରେ ୧୯୮ ଜଣଙ୍କୁ ମୁକ୍ତ କରିଛନ୍ତି ଏବଂ ଜୁନ୍ ଓ ଜୁଲାଇରେ ଆଉ ଦୁଇଟି ବ୍ୟାଚରେ ଯଥାକ୍ରମେ ୨୦୦ ଓ ୧୦୦ ଜଣ କଏଦୀଙ୍କୁ ମୁକ୍ତ କରାଯିବ। ମାଲିର ଜେଲରୁ ଗୁରୁବାର ୨୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯିବାର ଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଛନ୍ତି। ମୃତ ଦୁଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ ମହମ୍ମଦ ଜୁଲଫିକର ଯିଏ କି ମେ ୬ ରେ ମୃତ୍ୟୁବରଣ କରିଥିଲେ ଏବଂ ଅନ୍ୟ ଜଣେ ହେଉଛନ୍ତି ସୋମ ଦେବ ଯିଏ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ମେ ୯ ତାରିଖରେ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ମୃତଦେହକୁ ଭାରତ ଅଣାଯିବା ପର୍ଯ୍ୟନ୍ତ ଏଧି ଫାଉଣ୍ଡେସନ ଶବଗୃହରେ ରଖାଯାଇଛି। ସୋମା ଏବଂ ତାଙ୍କ ପୁତୁରା ପ୍ରାୟ ସାଢ଼େ ଚାରି ବର୍ଷ ପୂର୍ବେ ସମୁଦ୍ରରେ ଗିରଫ ହୋଇଥିବା ଏକ ଡଜନ ଭାରତୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଥିଲେ ଏବଂ ସେମାନଙ୍କୁ ମାଲିର ଜେଲରେ ରଖାଯାଇଥିଲା।”
କରାଚିରୁ ମତ୍ସ୍ୟଜୀବୀମାନଙ୍କୁ ଟ୍ରେନ୍ ଯୋଗେ ଲାହୋର ଆଣିବା ବ୍ୟବସ୍ଥା କରିଥିବା ଏଧି କଲ୍ୟାଣ ଟ୍ରଷ୍ଟର ଫୈଜଲ ଏଧି କହିଛନ୍ତି ଯେ “କିଛି ଭାରତୀୟ ମତ୍ସ୍ୟଜୀବୀ ମଧ୍ୟ ଅସୁସ୍ଥ ଦେଖାଯାଉଛନ୍ତି। ଆମେ ଏହି ଭାରତୀୟ ମତ୍ସ୍ୟଜୀବୀଙ୍କ ଘରକୁ ଫେରିବା ଯାତ୍ରାକୁ ଆରାମଦାୟକ ଏବଂ ସହଜ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗତ ୪ରୁ ୫ ବର୍ଷ ହେବ ଜେଲରେ ଅଛନ୍ତି।” ପାକିସ୍ତାନ ମତ୍ସ୍ୟଜୀବୀ ଫୋରମର ସାଧାରଣ ସମ୍ପାଦକ ସଇଦ ବଲୋଚ କହିଛନ୍ତି ଯେ “ଦୁଇ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଜୁନ୍ ୨ରେ ୨୦୦ ଭାରତୀୟ ମତ୍ସ୍ୟଜୀବୀଙ୍କ ଦ୍ବିତୀୟ ବ୍ୟାଚ୍ ଏବଂ ଜୁଲାଇ ୩ରେ ଆଉ ୧୦୦ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯିବ। ଭାରତୀୟ ମତ୍ସ୍ୟଜୀବୀଙ୍କ ପ୍ରତି ତାଙ୍କର ବହୁତ ସମବେଦନା ଅଛି କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଜୀବିକା ପାଇଁ ବାହାରକୁ ଯାଇଥିଲେ ଏବଂ ଯେତେବେଳେ ସେମାନେ ଦୁଇ ଦେଶ ମଧ୍ୟରେ ଜଳସୀମା ଅତିକ୍ରମ କରିଥିଲେ ସେତେବେଳେ ସେମାନେ ଏହା ଅନୁଭବ ମଧ୍ୟ କରିନଥିଲେ।” ମତ୍ସ୍ୟଜୀବୀ ସମବାୟ ସମିତି, ସିନ୍ଧ ପ୍ରଶାସକ ଜାହିଦ ଇବ୍ରାହିମ ଭଟ୍ଟି ପାଖାପାଖି ୨୦୦ ପାକିସ୍ତାନୀ ମତ୍ସ୍ୟଜୀବୀ ଭାରତୀୟ ଜେଲରେ ବନ୍ଦୀ ଅଛନ୍ତି ଏବଂ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ପରେ ସେମାନେ ମଧ୍ୟ ଶୀଘ୍ର ସ୍ୱଦେଶ ଫେରିବେ ବୋଲି ଆଶା କରାଯାଉଛି।” ତେବେ ସାମୁଦ୍ରିକ ସୀମା ଉଲ୍ଲଂଘନ ଅଭିଯୋଗରେ ପାକିସ୍ତାନ ଓ ଭାରତ ନିୟମିତ ଭାବେ ପ୍ରତିଦ୍ୱନ୍ଦ୍ୱୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥାନ୍ତି।