ମହାରାଷ୍ଟ୍ରର ଆକୋଲାରେ ‘ଆପତ୍ତିଜନକ’ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ହିଂସାତ୍ମକ ସଂଘର୍ଷ, ୨ ପୁଲିସ କର୍ମଚାରୀ ଆହତ, ଧାରା ୧୪୪ ଲାଗୁ
ମହାରାଷ୍ଟ୍ରର ଆକୋଲାରେ ଜଣେ ଧାର୍ମିକ ନେତାଙ୍କ ବିଷୟରେ 'ଆପତ୍ତିଜନକ' ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ପୁଲିସ ସମେତ ୮ ଜଣ ଆହତ ହୋଇଛନ୍ତି।
ଗାଡ଼ିରେ ନିଆଁ ଲଗାଇ ଦେବା ସହ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିବାରୁ କର୍ତ୍ତୃପକ୍ଷ ୧୪୪ ଧାରା ଜାରି
ମହାରାଷ୍ଟ୍ର: ମହାରାଷ୍ଟ୍ରର ଅକୋଲାରେ ଶନିବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଓ ପଥରମାଡ଼ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ସିଆରପିସିର ଧାରା ୧୪୪ ଅନୁଯାୟୀ ନିଷେଧାଦେଶ ଜାରି କରିଛି। ଏହି ସଂଘର୍ଷରେ ୨ ଜଣ ପୁଲିସ କର୍ମଚାରୀଙ୍କ ସମେତ ୮ ଜଣ ଆହତ ହୋଇଥିବା ବେଳେ ଆଇନଶୃଙ୍ଖଳା ଫେରାଇ ଆଣିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରିବାକୁ ପଡ଼ିଛି। ଅକୋଲାର ପୁରୁଣା ସିଟି ଥାନା ଅଞ୍ଚଳରେ ଏହି ସଂଘର୍ଷ ଘଟିଛି। ଶନିବାର ବିଳମ୍ବିତ ରାତିରେ ଜଣେ ଧାର୍ମିକ ନେତାଙ୍କ ବିଷୟରେ ଏକ ‘ଆପତ୍ତିଜନକ’ ଇନଷ୍ଟାଗ୍ରାମ ପୋଷ୍ଟ ପରେ ଅକୋଲାସ୍ଥିତ ଏକ ପୁଲିସ ଷ୍ଟେସନରେ ଏକ ଜନସମାଗମ ହୋଇଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ସହ ସେମାନେ ପରସ୍ପର ଉପରକୁ ପଥର ଫିଙ୍ଗିବା ସହ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ୩ଟି ଭିନ୍ନ ଭିନ୍ନ ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ୮ ଜଣ ଆହତ ହୋଇଛନ୍ତି ଏବଂ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଅକୋଲା ଏସପି ସନ୍ଦୀପ ଘୁଗେ କହିଛନ୍ତି। ପୁଲିସ ଏକ ମାମଲା ରୁଜୁ କରିଥିଲେ ହେଁ ଭିଡ଼ ଉତ୍ତେଜନାପୂର୍ଣ୍ଣ ହୋଇ ଗାଡ଼ିଗୁଡ଼ିକୁ ଭାଙ୍ଗିବା, ପଥର ଫିଙ୍ଗିବା ଓ ନିଆଁ ଲଗାଇବା ଆରମ୍ଭ କରିବାରୁ ପରିସ୍ଥିତି ଉଗ୍ର ରୂପ ନେଇଥିଲା। ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୭-୮ଟି ଗାଡ଼ି ଭଙ୍ଗାରୁଜା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା। ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଗୋଷ୍ଠୀ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିବାରୁ ସଂଘର୍ଷ ହିଂସାତ୍ମକ ରୂପ ନେଇଥିଲା। ଗଙ୍ଗାଧର ଛକ, ପୋଲା ଛକ ଓ ହରିହର ପେଠ ନିକଟବର୍ତ୍ତୀ ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡ ସମୟରେ ଏକ ପୁଲିସ ଭ୍ୟାନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ କିଛି ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବାରୁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା।ଏହି ଘଟଣାରେ ଦୁଇଟି ଥାନାରେ ମାମଲା ରୁଜୁ ହୋଇଛି, ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ରାମଦାସପେଠ ଥାନାରେ ଏବଂ ଅନ୍ୟଟି ପୁରୁଣା ସିଟି ଥାନାରେ ହିଂସାତ୍ମକ ସଂଘର୍ଷ କୁ ନେଇ। ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ତୁରନ୍ତ ପୁଲିସ ଫୋର୍ସକୁ ଡକାଯାଇଥିଲା। ହିଂସାତ୍ମକ ଭିଡ଼ ଦ୍ୱାରା କିଛି ଗାଡି କ୍ଷତିଗ୍ରସ୍ତ ହୋଇଛି । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଶାନ୍ତି ବଜାୟ ରଖିବାକୁ ଆମେ ଲୋକଙ୍କୁ ନିବେଦନ କରୁଛୁ ବୋଲି ଅକୋଲା ଏସପି ସନ୍ଦୀପ ଘୁଗେ ଇଣ୍ଡିଆ ଟୁଡେକୁ କହିଛନ୍ତି। ଅକୋଲା ଜିଲ୍ଲାର ଗ୍ରାମାଞ୍ଚଳ, ୱାଶିମ, ବୁଲଧାନା ଓ ଅମରାବତୀରୁ ଅତିରିକ୍ତ ପୁଲିସ ଫୋର୍ସ ଡକାଯାଇଥିଲା। ଏହି ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୨୬ ଜଣଙ୍କୁ ଏପର୍ଯ୍ୟନ୍ତ ଅଟକ ରଖାଯାଇଛି।