୭୧,୦୦୦ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସରକାରଙ୍କ ଯୋଜନା ଓ ନୀତିକୁ କଲେ ପ୍ରଶଂସା
ସରକାରଙ୍କ ପ୍ରତ୍ୟେକ ନୀତି ରୋଜଗାର ସୃଷ୍ଟି ପାଇଁ ଦ୍ୱାର ସାଜିଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଜାତୀୟ ସ୍ତରରେ ୭୧,୦୦୦ ନୂଆ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏ ନେଇ ଦେଶରେ ରୋଜଗାର ବୃଦ୍ଧି ପାଇଁ ତାଙ୍କ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଭର୍ଚୁଆଲ ଭାବେ ଉଦବୋଧନ ଦେଇ ପିଏମ ମୋଦି କହିଛନ୍ତି ଯେ, ବିଗତ ୯ ବର୍ଷ ମଧ୍ୟରେ ଦେଶରେ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ଆଧୁନିକ ଭିତ୍ତିଭୂମି ନିର୍ମାଣ ହେଉ ବା ଗ୍ରାମ୍ୟ ଉନ୍ନୟନ, ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ନୀତି ଯୁବପିଢ଼ିଙ୍କ ପାଇଁ ରୋଜଗାର ସୃଷ୍ଟି ପାଇଁ ଦ୍ୱାର ସାଜିଥାଏ। ତାଙ୍କ ଶାସନ କାଳରେ ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ, ଅଧିକ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସରକାର ପ୍ରାଥମିକତା ଦେଇଛନ୍ତି । ଆଜି ନିଯୁକ୍ତି ପାଇଁ ଆବେଦନ ଠାରୁ ଆରମ୍ଭ କରି ଫଳାଫଳ ପାଇବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଅନଲାଇନ ହୋଇଛି। ଗ୍ରୁପ୍ ସି ଓ ଡିରେ ନିଯୁକ୍ତି ପାଇଁ ସାକ୍ଷାତକାର ମଧ୍ୟ ଶେଷ ହୋଇଛି। ଏହି ପ୍ରୟାସର ଫାଇଦା ହେଉଛି ଦୁର୍ନୀତି ଏବଂ ପରିବାରବାଦର ସମ୍ଭାବନା ଶେଷ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସରକାରଙ୍କ ଯୋଜନା ଓ ନୀତିକୁ ପ୍ରଶଂସା କରି ସେ କହିଛନ୍ତି ଯେ ଏହା ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଭାରତ ସରକାରଙ୍କ ପ୍ରତ୍ୟେକ ଯୋଜନା, ପ୍ରତ୍ୟେକ ନୀତି ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଗତ ୯ ବର୍ଷ ମଧ୍ୟରେ ଭାରତ ସରକାର ପୁଞ୍ଜି ବ୍ୟୟ ବାବଦରେ ପ୍ରାୟ ୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଯୁକ୍ତି ପତ୍ର ପାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାର୍ଥୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଆଜି ଯେଉଁ ଦ୍ରୁତ ଗତିରେ ଏବଂ ବ୍ୟାପକ ଭାବରେ କାର୍ଯ୍ୟ କରୁଛି ତାହା ସ୍ୱାଧୀନତାର ୭୫ ବର୍ଷର ଇତିହାସରେ ମଧ୍ୟ ଅଭୂତପୂର୍ବ । ଷ୍ଟାର୍ଟଅପ୍ ସଂସ୍କୃତିରେ ଦେଶ ଯେଉଁ ନୂଆ ବିପ୍ଳବ ଦେଖିଛି ତାହା ଉପରେ ସେ ଆଲୋକପାତ କରି କହିଛନ୍ତି ଯେ, ୯ ବର୍ଷ ତଳେ ଦେଶରେ ପ୍ରାୟ ୧୦୦ ଷ୍ଟାର୍ଟଅପ୍ ଥିବା ବେଳେ ଆଜି ଏହି ସଂଖ୍ୟା ପ୍ରାୟ ୧ ଲକ୍ଷ ରହିଛି। ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଏବଂ ଦେଶରୁ ରେକର୍ଡ ରପ୍ତାନି ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଏହି ପରିବର୍ତ୍ତିତ ଚିତ୍ର ଯୁବଗୋଷ୍ଠୀଙ୍କ ପାଇଁ ରୋଜଗାରର ନୂଆ କ୍ଷେତ୍ରକୁ ଆଣିଛି। କେନ୍ଦ୍ର ସରକାର ଏହି ନୂଆ କ୍ଷେତ୍ରକୁ କ୍ରମାଗତ ଭାବେ ସମର୍ଥନ କରୁଛନ୍ତି। ୨୦୧୪ ପୂର୍ବ ସମୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଗ୍ରାମୀଣ ସଡ଼କ ନେଟୱାର୍କର ପ୍ରସାରରେ ଗତିର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ୨୦୧୪ ପୂର୍ବରୁ ଦେଶର ଗ୍ରାମୀଣ ସଡ଼କ ନେଟୱାର୍କ ୪ ଲକ୍ଷ କିଲୋମିଟରରୁ କମ୍ ବ୍ୟାପ୍ତ ଥିଲା, କିନ୍ତୁ ଏହା ପରେ ଏହା ୭.୨୫ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି । ବିମାନ ଯାତ୍ରା ଭିତ୍ତିଭୂମି ଦୃଷ୍ଟିରୁ ୨୦୧୪ ପୂର୍ବରୁ ଦେଶରେ ମାତ୍ର ୭୪ଟି ବିମାନବନ୍ଦର ଥିଲା। ଆଜି ଏହି ସଂଖ୍ୟା ପାଖାପାଖି ୧୫୦କୁ ବୃଦ୍ଧି ପାଇଛି।