ଛତିଶଗଡ଼ରେ ବଡ଼ ଧରଣର ମାଓ ହମଲା

ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କଲେ ନକ୍ସଲ।

ଆଇଇଡି ବିସ୍ଫୋରଣରେ ୮ ଡିଆରଜି ଯବାନ ଓ ଜଣେ ଡ୍ରାଇଭର ସହିଦ

ଛତିଶଗଡ଼, ୦୬/୦୧: ଛତିଶଗଡ଼ରେ ବଡ଼ ଧରଣର ମାଓ ହମଲା। ରାଜ୍ୟର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୮ ଜଣ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଯବାନ ଓ ଜଣେ ଡ୍ରାଇଭରଙ୍କ ସମେତ ୯ ଜଣ ପ୍ରାଣ ହରାଇଛନ୍ତି। ବେଦ୍ରେ-କୁଟ୍ରୁ ରାସ୍ତାରେ ଏହି ବିସ୍ଫୋରଣ ଘଟିଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

ବସ୍ତର ରେଞ୍ଜର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ଡିଆରଜି ଟିମ୍ ଦନ୍ତେଓ୍ଵାଡା, ନାରାୟଣପୁର ଏବଂ ବିଜାପୁର ଜିଲ୍ଲାରେ ନକ୍ସଲ ବିରୋଧୀ ମିଳିତ ଅଭିଯାନରୁ ଫେରୁଥିଲେ।

ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଥର ସୁରକ୍ଷା ବାହିନୀଙ୍କ ଉପରକୁ ଆକ୍ରମଣ କଲେଣି ମାଓବାଦୀ। ଗତ ୨୦୨୩ ଏପ୍ରିଲରେ ଦନ୍ତେଓ୍ଵାଡାରେ ମଧ୍ୟ ନକ୍ସଲଙ୍କ ଦ୍ୱାରା ହୋଇଥିବା ଏକ ଗାଡ଼ି ବିସ୍ଫୋରଣରେ ୧୦ ଜଣ ପୁଲିସ ଅଧିକାରୀ ଏବଂ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ଶୋକ ପ୍ରକାଶ କରି ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦର ମୂଳୋତ୍ପାଟନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆମ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଶାହ କହିଛନ୍ତି।

ସୂଚନାଯୋଗ୍ୟ, ଗତ କାଲି ବସ୍ତର ଅଂଚଳରେ ଏକ ଅଲଗା ଅପରେସନ ବେଳେ ଏହି ଆଇଇଡି ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ସୁରକ୍ଷା ବାହିନୀ ୨ ମହିଳାଙ୍କ ସମେତ ୫ ଜଣ ନକ୍ସଲଙ୍କୁ ନିହତ ହୋଇଥିଲେ। ନାରାୟଣପୁର, ଦନ୍ତେୱାଡ଼ା, କୋଣ୍ଡାଗାଓଁ, ଜଗଦଲପୁରର ଡ଼ିଆରଜି, ଏସ୍ଟିଏଫ, ଜିଲ୍ଲା ପୁଲିସର ମିଳିତ ସର୍ଚ୍ଚ ଅପେରେସନରେ ମାଓବାଦୀଙ୍କ ନିପାତ କରାଯାଇଥିଲା। ତେବେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି‌ ବିନିମୟରେ ଜଣେ ହେଡ କନଷ୍ଟେବଳ ସାନୁ କରାମ ସହିଦ ହୋଇଥିଲେ। ଏହା ପରଠାରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପେରେସନ ଚାଲୁ ରହିଥିଲା।