ବିଜେଡି ବିଧାୟକ ଶଷିଭୂଷଣଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ
ବୋହୁଙ୍କୁ ଗାଳିଗୁଲଜ କରୁଥିବା ଏତଲା ଦାୟର
ବିଧାୟକଙ୍କ ସହ ତାଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ
ବାଙ୍କୀ : ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା, ତାଙ୍କ ପୁଅ ସତ୍ୟପ୍ରକାଶ ଓ ପତ୍ନୀ ସୁପ୍ରଭାଙ୍କ ନାଁରେ ବାଙ୍କୀ ଥାନାରେ ଦାୟର ହୋଇଛି ଏତଲା । ଯୌତୁକ ନିର୍ଯାତନା ଓ ମାରପିଟ ନେଇ ଏତଲା ଦାୟର କରିଛନ୍ତି ଶଶିଙ୍କ ବୋହୂ ରୋନାଲି । ବାହାଘର ପରେ ଯୌତୁକ ବାବଦକୁ ଶାଶୁଘର ଲୋକେ ୪୦ ଲକ୍ଷ ଟଙ୍କା ମାଗୁଥିବା ଓ ଶଶିଙ୍କ ପୁଅ ସତ୍ୟପ୍ରକାଶ ବୋହୁଙ୍କୁ ମାରପିଟ କରୁଥିବା ରୋନାଲି ଅଭିଯୋଗ କରିଛନ୍ତି। ତେବେ ୪୦ ଲକ୍ଷ ଦାବିରେ ସତ୍ୟପ୍ରକାଶ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋହୁଙ୍କୁ। କିନ୍ତୁ ଏ ବାବଦରେ ରୋନାଲି ଶ୍ବଶୁର ଶଷିଙ୍କୁ କହିବାରୁ ଶଷି ଗାଳିଗୁଲଜ କରିଥିବା ରୋନାଲି ଏତଲାରେ ପ୍ରକାଶ କରିଛନ୍ତି ।
ସୂଚନାନୁସାରେ, ବୋହୂଙ୍କ ଏତଲା ଆଧାରରେ ଶଶିଭୂଷଣ, ସତ୍ୟପ୍ରକାଶ, ସୁପ୍ରଭାଙ୍କ ସହ ଆଉ ୫ ଜଣଙ୍କ ନାଁରେ ମାମଲା ରୁଜୁ କଲା ବାଙ୍କୀ ଥାନା ପୋଲିସ । ତେବେ ଯୌତୁକ ନିରୋଧ ଆଇନ ୧୯୬୧ର ସେକ୍ସନ ୪ ଅନୁସାରେ ଦଫା ୪୯୮(କ), ୨୯୪, ୫୦୬, ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି। କିନ୍ତୁ ବୋହୂଙ୍କ ଅଭିଯୋଗ ନେଇ ଏପର୍ଯ୍ୟନ୍ତ ଶଶିଭୂଷଣଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।