ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବେ ବିକ୍ରମ ଆରୁଖ, ସାରଦା ନାୟକ ଓ ସୁଦାମ ମାର୍ଣ୍ଡି
ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ
ରାଜ୍ୟପାଳ ଶପଥ ପାଠ କରାଇବେ
ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବେ ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାର୍ଣ୍ଡି। ଏହି ତିନି ମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ। ସୋମବାର ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଭଞ୍ଜନଗର ବିଧାୟକ ବିକ୍ରମ, ରାଉରକେଲା ବିଧାୟକ ସାରଦା ଓ ବାଙ୍ଗିରିପୋଷି ବିଧାୟକ ସୁଦାମାଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।
ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଧାୟକ ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାର୍ଣ୍ଡିଙ୍କୁ ଫୋନ୍ ଆସିଛି। ବିଭାଗ ଦାୟିତ୍ୱ ସମ୍ପର୍କିତ ଖବର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ରାଜ୍ୟପାଳ ଗଣେଶୀ ଲାଲ ଏହି ତିନି ଜଣଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶପଥ ପାଠ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବାର ସୂଚନା ମିଳିଛି।
ଫୋନ୍ କଲ୍ ପାଇବା ପରେ ଆରୁଖ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପୁଣି ଥରେ ତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ କାମ କରିବାର ସୁଯୋଗ ଦେଇଛନ୍ତି, ତେଣୁ ମୁଁ ତାଙ୍କ ନିକଟରେ କୃତଜ୍ଞ। ଅତୀତରେ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଥିଲା ତାହାକୁ ଆନ୍ତରିକତାର ସହ ନିର୍ବାହ କରିବାକୁ ଚେଷ୍ଟା କରିଥିଲି। ଏଥର ମଧ୍ୟ ମୁଁ ଅତ୍ୟନ୍ତ ଆନ୍ତରିକତାର ସହ ତାହା କରିବି।