କେନ୍ଦୁଝରରେ ମହିଳା ବିଜେପି ନେତ୍ରୀଙ୍କୁ ହତ୍ୟା
ସତ୍ୟଭାମାଙ୍କୁ କିଛି ଦୁର୍ବୃତ୍ତ ପଥରମାଡ଼ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସତ୍ୟଭାମା ଜଣେ ପୂର୍ବତନ ସମିତି ସଭ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି)ର ପଣ୍ଡାପଡ଼ା ମଣ୍ଡଳର ଉପାଧ୍ୟକ୍ଷ ଏବଂ ଜଣେ ପାଲା ଗାୟିକା ମଧ୍ୟ ଥିଲେ।
ବିଭିନ୍ନ ଦିଗକୁ ଆଧାର କରି ପୋଲିସର ତଦନ୍ତ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବିନିଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ମହିଳା ବିଜେପି ନେତ୍ରୀ ତଥା ପାଲା ଗାୟିକାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ ସତ୍ୟଭାମା ସିଂହ ବୋଲି ଜଣାପଡ଼ିଛି। ସତ୍ୟଭାମାଙ୍କୁ କିଛି ଦୁର୍ବୃତ୍ତ ପଥରମାଡ଼ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ସତ୍ୟଭାମା ଜଣେ ପୂର୍ବତନ ସମିତି ସଭ୍ୟ ଥିଲେ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ପଣ୍ଡାପଡ଼ା ମଣ୍ଡଳର ଉପାଧ୍ୟକ୍ଷ ମଧ୍ୟ ଥିଲେ। ଏହା ବ୍ୟତୀତ ସେ ଜଣେ ପାଲା ଗାୟିକା ମଧ୍ୟ ଥିଲେ। ତେବେ ପୂର୍ବରୁ ତାଙ୍କର ପାଲା ଗ୍ରୁପର କିଛି ସଦସ୍ୟଙ୍କ ସହ ବିବାଦ ଥିଲା। ତେଣୁ ପାଲା ଗ୍ରୁପର ଅନ୍ୟ ସଦସ୍ୟଙ୍କ ସହ କୌଣସି ବିବାଦକୁ କେନ୍ଦ୍ର କରି ସତ୍ୟଭାମାଙ୍କୁ ହତ୍ୟା କରାଯାଇଛି ନା ରାଜନୈତିକ ଶତ୍ରୁତା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଦୁଇଟି ଦିଗ ଓ ଅନ୍ୟାନ୍ୟ ଦିଗକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।