ରତ୍ନଭଣ୍ଡାର ଚାବି ହଜିବା ନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ ପାଇଁ ସମୟ ମାଗିଲା ଗୃହ ବିଭାଗ

ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାଖଲ କରି ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କମିଶନଙ୍କ ରିପୋର୍ଟ ଦାଖଲ କରିବାକୁ ସମୟ ମାଗିଲା ରାଜ୍ୟ ଗୃହ ବିଭାଗ

ଏପ୍ରିଲ ୨୫ତାରିଖରେ ହାଇକୋର୍ଟ ଗୃହ ବିଭାଗକୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ

କଟକ: ରାଜ୍ୟ ଗୃହ ବିଭାଗ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାଖଲ କରି ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଜଷ୍ଟିସ୍ ରଘୁବୀର ଦାଶ କମିଶନଙ୍କ ରିପୋର୍ଟର ସାମ୍ପ୍ରତିକ ସ୍ଥିତି ଜଣାଇବା ପାଇଁ ଅତି କମରେ ଦୁଇ ମାସ ସମୟ ମାଗିଛି।

ପୁରୀ ଜଗନ୍ନାଥ ମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ରହସ୍ୟଜନକ ଭାବେ ହଜିଯିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର କମିଶନଙ୍କୁ ଦାୟିତ୍ୱ ଦେଇଥିଲେ। ୨୦୧୮ ନଭେମ୍ବର ୨୯ତାରିଖରେ ଜଷ୍ଟିସ୍ ଦାଶ ତଦନ୍ତ ରିପୋର୍ଟ ଗୃହ ବିଭାଗକୁ ପ୍ରଦାନ କରିଥିଲେ। କମିଶନଙ୍କ ପାଇଁ ପ୍ରାୟ ୨୨.୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ରାଜ୍ୟ ବିଧାନସଭାରେ ରିପୋର୍ଟ ଉପସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏକ ଜନସ୍ବାର୍ଥ ମାମଲା ରୁଜୁ ହେବା ପରେ ଏପ୍ରିଲ ୨୫ତାରିଖରେ ହାଇକୋର୍ଟ ଗୃହ ବିଭାଗକୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।