ମୋମୋ ପରେ ଗୁପଚୁପ ତିଆରି କରି ଲୋକଙ୍କୁ ଖାଇବାକୁ ଦେଲେ ଦିଦି

ମୁମ୍ବାଇ: ମୋମୋ ପରେ ଗୁପଚୁପ। ମାର୍ଚ୍ଚ ମାସରେ ମୋମୋ ଦୋକାନକୁ ଯାଇ ଲୋକଙ୍କୁ ନିଜ ହାତରେ ମୋମୋ ତିଆରି କରି ଖାଇବାକୁ ଦେଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ପୁଣି ଥରେ ସେଭଳି ଏକ କାମ କରିଛନ୍ତି। ଜୁଲାଇ ୧୨ ମଙ୍ଗଳବାର ଦିନ ଦାର୍ଜିଲିଂର ଏକ ଷ୍ଟଲରେ ସେ ଗୁପଚୁପ ତିଆରି କରିବା ଏବଂ ପରେ ସ୍ଥାନୀୟ ଲୋକଙ୍କୁ ଖାଇବାକୁ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭାଇରାଲ ହେଉଥିବା ଫଟୋ ଓ ଭିଡିଓରେ ମମତା ବାନାର୍ଜୀ ଗୁପଚୁପ ତିଆରି କରି ଏହାକୁ ପିଲାମାନଙ୍କୁ ତଥା ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଖାଇବାକୁ ଦେଉଥିବା ଦେଖାଯାଇଛି। ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓରେ ମମତା ବାନାର୍ଜୀ ଦାର୍ଜିଲିଂର ମଲ୍ ରୋଡରେ ଥିବା ଏକ ଗୁପଚୁପ ଷ୍ଟଲରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେ ଗୁପଚୁପ ତିଆରି କରି ସେଠାରେ ଠିଆ ହୋଇଥିବା ଲୋକଙ୍କୁ ଖାଇବାକୁ ଦେଉଛନ୍ତି।