ମାର୍ଶିଙ୍ଗାରୁ ନେଇ ରାଜଧାନୀରେ ଦୁଷ୍କର୍ମ

ନାବାଳିକାକୁ ଘରୁ ଉଠାଇ ନେଲେ ଦୁଇ ଦିନ ଧରି କରିଲେ ଦୁଷ୍କର୍ମ

ଦୁଇ ଅଭିଯୁକ୍ତ ଗିରଫ

ଉଦଳା ୧୬/୦୭(ଦର୍ଶନ ) – ଯୌନ ପିପାସୁ ଦୁଇ ଯୁବକ । ନାବାଳିକା ଘରେ ଶୋଇଥିବା ବେଳେ ନାବାଳିକାକୁ ଘରୁ ଉଠାଇ ନେଇ ଭୁବନେଶ୍ୱର ନେଇଗଲେ । ସେଠାରେ ଦୁଇ ଦିନ ଧରି ନାବାଳିକାକୁ କରିଲେ ଦୁଷ୍କର୍ମ । ଏଭଳି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ୍ ଏବେ ଉକ୍ତ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ଅଂଚଳରେ । ଉଦଳା ଥାନା ମାର୍ଶିଙ୍ଗା ଅଂଚଳର ଜଣେ ନାବାଳିକା ଗତ ୧୦ ତାରିଖ ରାତିରେ ଖାଇ ସାରି ଘରେ ଶୋଇଥିଲେ । ଏହି ସମୟରେ ନାବାଳିକାର ପରିବାର ଲୋକେ ବାହାରେ ଅନ୍ୟ କାମରେ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ନେଇ ମାର୍ଶିଙ୍ଗା ଅଂଚଳର ଯୁବକ କାର୍ତିକ ବିନ୍ଧାଣୀ ଏବଂ ଗଜେନ୍ଦ୍ର ହେମ୍ବ୍ରମ ଘର ଭିତରେ ପଶି ନାବାଳିକାକୁ ଘରୁ ଉଠାଇ ନେଇଥିଲେ । ପରେ ନାବାଳିକାକୁ ଉଭୟ ଯୁବକ ସୁଦୂର ରାଜଧାନୀ ଭୁବନେଶ୍ୱର ନେଇ ସେଠାରେ ଏକ ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକକୁ ବାରମ୍ବାର ଦୁଇ ଦିନ ଧରି ଦୁଷ୍କର୍ମ କରିବା ପରେ ତାକୁ ଆଣି ଦୁଇ ପିଶାଚ ଯୂବକ ତାଙ୍କ ଘର ନିକଟ ଛକରେ ଛାଡି ଚାଲିଯାଇଥିଲେ । ପରେ ନାବାଳିକା ଜଣକ ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଏ ନେଇ ଗ୍ରାମରେ ବୈଠକ ମଧ୍ୟ ହୋଇଥିଲା । ହେଲେ ବୈଠକରେ କୌଣସି ନିଷ୍ପତି ନ ବହାରିବାରୁ ଶେଷରେ ପରିବାର ଲୋକେ ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।