ମିଶନ୍ ଚନ୍ଦ୍ରୟାନ-୩ ସଫଳତା ପଛରେ ଓଡିଆ ପୁଅ

ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତର ଚନ୍ଦ୍ରୟାନ-୩ ଅଭିଯାନ ଶୁକ୍ରବାର ଚନ୍ଦ୍ର ଅଭିମୁଖେ ଉଡ଼ାଣ ଭରିବା ସହ ଓଡିଶାକୁ ଆଣି ଦେଇଥିଲା ଗର୍ବ ଓ ଗୌରବ

ଚନ୍ଦ୍ରୟାନ-୩ ଟେକ୍ନିସିଆନ ଟିମରେ ଶୁଭାଶିଷ ସାମିଲ

କେନ୍ଦ୍ରାପଡା: ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତର ଚନ୍ଦ୍ରୟାନ-୩ ଅଭିଯାନ ଶୁକ୍ରବାର ଚନ୍ଦ୍ର ଅଭିମୁଖେ ଉଡ଼ାଣ ଭରିବା ସହ ଓଡିଶାକୁ ଆଣି ଦେଇଥିଲା ଗର୍ବ ଓ ଗୌରବ। ଏହି ମିଶନ ଚନ୍ଦ୍ରୟାନ-୩ ଟେକ୍ନିସିଆନ ଟିମରେ ଥିଲେ ଓଡିଆ ପୁଅ। କେନ୍ଦ୍ରାପଡ଼ା ଜିଲ୍ଲାର ଶୁଭାଶିଷ ନାୟକ ଇସ୍ରୋ ଟିମରେ ରହି ଓଡିଶା ପାଇଁ ଗର୍ବ ଆଣି ଦେଇଛନ୍ତି।

ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି)ର ଶତାଧିକ ଅଧିକାରୀ ଓ କର୍ମଚାରୀ ଏହି ଅଭିଯାନ ପାଇଁ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ ୨ ବର୍ଷ ଧରି ପରିଶ୍ରମ କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମୁକୁନ୍ଦପୁର ଗ୍ରାମର ଶୁଭାଶିଷ ନାୟକ ‘ଫ୍ୟାଟ୍ ବୟ’ ନାମରେ ପରିଚିତ ଲଞ୍ଚ ଭେଇକିଲ ମାର୍କ-୩-ଏମ୍୪ (ଏଲ୍ଭିଏମ୍୩-ଏମ୍୪) ରକେଟ୍ ନିର୍ମାଣରେ ନିୟୋଜିତ ଟେକ୍ନିସିଆନ୍ ଟିମରେ ସାମିଲ ଥିଲେ।

୨୮ ବର୍ଷୀୟ ଶୁଭାଶିଷ ୨୦୦୯ରେ ବିବି ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ। ଏହାପରେ ସେ ଆଇଟିଆଇରେ ନାମ ଲେଖାଇ ଟେକ୍ନିସିଆନ୍ ହୋଇଥିଲେ। ୨୦୧୮ରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଦ୍ୱାରା ନିଯୁକ୍ତି ପାଇବା ପୂର୍ବରୁ ସେ ସିଟିଟିସିରେ ତିନି ବର୍ଷ ପ୍ରଶିକ୍ଷଣ ନେଇଥିଲେ।
ସୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ ଓ ମାଆ ନିର୍ମଳା ନାୟକ ଜଣେ ଗୃହିଣୀ ଅଟନ୍ତି। ଶୁଭାଶିଷଙ୍କ ଇସ୍ରୋ ଚନ୍ଦ୍ରୟାନ – ୩ ଟିମ୍ ସହିତ ଯୋଗଦାନ ସେମାନଙ୍କୁ ଗର୍ବିତ କରିଛି ବୋଲି କହିଛନ୍ତି।