ବନ୍ଧା ହେଲା ନକଲି ଡାକ୍ତର
ଗଞ୍ଜାମ ଜିଲ୍ଲା ଡେଙ୍ଗୁସ୍ତା ଥାନା ଅନ୍ତର୍ଗତ ସିଂପୁର ରୋଡରେ କ୍ଲିନିକ୍ ଚଳାଉଥିବା ଜଣେ ନକଲି ଡାକ୍ତରଙ୍କୁ ପୁଲିସ ଗିରଫ କରିଛି। ବିନା ଅନୁମୋଦିତ ଡାକ୍ତରୀ ଡିଗ୍ରୀରେ ସେ ରୋଗୀଙ୍କ ଚିକିତ୍ସା କରୁଥିଲେ।
ଡବ୍ଲୁଏଚ୍ଓର ସଦସ୍ୟ ବୋଲି ଦେଉଥିଲେ ପରିଚୟ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଡେଙ୍ଗୁସ୍ତା ଥାନା ଅନ୍ତର୍ଗତ ସିଂପୁର ରୋଡରେ କ୍ଲିନିକ୍ ଚଳାଉଥିବା ଜଣେ ନକଲି ଡାକ୍ତରଙ୍କୁ ପୁଲିସ ଗିରଫ କରିଛି। ବିନା ଅନୁମୋଦିତ ଡାକ୍ତରୀ ଡିଗ୍ରୀରେ ସେ ରୋଗୀଙ୍କ ଚିକିତ୍ସା କରୁଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ସାନ୍ଧା ଗ୍ରାମର ଶୁଭ୍ରଜିତ ପଣ୍ଡା(୨୯)। ଶ୍ରୀ ପଣ୍ଡା ଦିଲ୍ଲୀ ଓ ଭୁବନେଶ୍ୱର ଏମ୍ସର ଅର୍ଥୋପେଡିକ୍ ଓ ସ୍ପାଇନ ସର୍ଜନ ପରିଚୟ ଦେଇ ଲୋକଙ୍କ ଚିକିତ୍ସା କରୁଥିଲେ।
ବ୍ରହ୍ମପୁରର ସିମାଞ୍ଚଳ ସାହୁ ତାଙ୍କ ବଡ ମା’ଙ୍କ ହାତ ଗଣ୍ଠି ଯନ୍ତ୍ରଣା ପାଇଁ ଶ୍ରୀ ପଣ୍ଡାଙ୍କ କ୍ଲିନିକ ଯାଇଥିଲେ। କିନ୍ତୁ ଶ୍ରୀ ପଣ୍ଡା ଭୁଲ ଔଷଧ ଚିଠାରେ ଲେଖି ଦେଇଥିଲେ। ଭୁଲ ଔଷଧ ଖାଇ ଶ୍ରୀ ସାହୁଙ୍କ ବଡ ମା’ଙ୍କ ଦେହ ଆହୁରି ଅଧିକ ଖରାପ ହୋଇ ଯାଇଥିଲା। ତେଣୁ ଶ୍ରୀ ସାହୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଶ୍ରୀ ପଣ୍ଡାଙ୍କୁ ପଚରାଉଚରା କରିବାରୁ ତାଙ୍କ ଏମବିବିଏସ୍ ଡିଗ୍ରୀ ଓ ରେଜିଷ୍ଟ୍ରେସନ ନମ୍ବର ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଦୁର୍ନୀତି ସନ୍ଦେହ କରି ପୁଲିସ ଅନୁସନ୍ଧାନ ବେଳେ ଶ୍ରୀ ପଣ୍ଡାଙ୍କ ଡାକ୍ତରୀ ଡିଗ୍ରୀ ନକଲି ବୋଲି ଜଣାପଡ଼ିଥିଲା।
ଶ୍ରୀ ପଣ୍ଡା ଯୁକ୍ତ ୨ ପାଠ୍ୟକ୍ରମ ଶେଷ କରିବା ପରେ ନକଲି ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ। ସେଠାକୁ ଆସିଥିବା ବିଭିନ୍ନ ଡାକ୍ତରୀ ପ୍ରତିନିଧି ଓ ମେଡିସିନ ରିପ୍ରେଜେଣ୍ଟେଟିଭଙ୍କଠାରୁ ଜ୍ଞାନ ହାସଲ କରି ଲୋକଙ୍କ ଚିକିତ୍ସା କରୁଥିଲେ। ଏହା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି ପରିଚୟ ଦେଇ ଏକ ଡାକ୍ତରୀ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ଗିରଫ ହେବା ପରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିସ୍ଥିତ ପଣ୍ଡାଙ୍କ ଭଡ଼ା ଘର, କଟକ ରାଣୀହାଟସ୍ଥିତ ତାଙ୍କ କ୍ଲିନିକ୍ ଓ ସହରରେ ଥିବା ତାଙ୍କ ବାସଭବନରେ ପୁଲିସ ଏକକାଳୀନ ଚଢ଼ଉ କରିଥିଲା।