ଅନିର୍ଦ୍ଦିଷ୍ଟ କାଳ ପାଇଁ ୟୁନିଟ-୨ ମାର୍କେଟ ବିଲଡିଂ ବନ୍ଦ

ଅସ୍ଥାୟୀ ଷ୍ଟଲ୍ ଉଚ୍ଛେଦ ଦାବିରେ କେନ୍ଦ୍ରୀୟ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଭୁବନେଶ୍ବର ୟୁନିଟ୍-୨ ମାର୍କେଟ ବିଲଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି।

ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ମଧ୍ୟରେ ଟଣାଭିଡା

ଭୁବନେଶ୍ବର: ଅସ୍ଥାୟୀ ଷ୍ଟଲ୍ ଉଚ୍ଛେଦ ଦାବିରେ କେନ୍ଦ୍ରୀୟ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଭୁବନେଶ୍ବର ୟୁନିଟ୍-୨ ମାର୍କେଟ ବିଲଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ସୋମବାରଠାରୁ ପ୍ରାୟ ୧୬୫ ଜଣ ବ୍ୟବସାୟୀ କମ୍ପ୍ଲେକ୍ସରେ ଦୋକାନ ବନ୍ଦ କରିଛନ୍ତି।

ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନାଙ୍କ କହିବାନୁଯାୟୀ, ବିଏମସି ମାର୍କେଟ ବିଲଡିଂରେ ଥିବା ଅସ୍ଥାୟୀ ଦୋକାନକୁ ହଟାଇବା ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ଦୋକାନ ବନ୍ଦ ରହିବ। ମାର୍କେଟ କମ୍ପ୍ଲେକ୍ସରେ ଅସ୍ଥାୟୀ ଭେଣ୍ଡିଂ ଷ୍ଟଲ ଖୋଲି କିଛି ଲୋକ ମାର୍କେଟ ବିଲ୍ଡିଂ ଉପରେ ଜବରଦଖଲ କରୁଛନ୍ତି ଓ ମାର୍କେଟରେ ଅଯଥା ଭିଡ କରୁଛନ୍ତି। ଯାହା ଫଳରେ ସ୍ଥାୟୀ ଦୋକାନୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଯଦି ବିଏମସି କୌଣସି ପଦକ୍ଷେପ ନ ନିଏ ତାହାଲେ ଦୋକାନୀମାନେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବେ ବୋଲି ଶ୍ରୀ ଜେନା କହିଛନ୍ତି।