ସୁନ୍ଦରଗଡ଼ରୁ ନିଖୋଜ ମହିଳା ପୋଷ୍ଟମାଷ୍ଟରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଜଙ୍ଗଲ ନିକଟ ଏକ କ୍ଷେତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରି ଜବତ କରିଛି ସୁନ୍ଦରଗଡ଼ ପୁଲିସ।

ନିର୍ମମ ଭାବେ ହୋଇଛି ହତ୍ୟା

ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଜଙ୍ଗଲ ନିକଟ ଏକ କ୍ଷେତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରି ଜବତ କରିଛି
ସୁନ୍ଦରଗଡ଼ ପୁଲିସ। ମୃତକ ଜଣକ ହେଲେ ହେମଗିରି ଥାନା ଅନ୍ତର୍ଗତ ଟିକଲିପଡ଼ା ଗ୍ରାମର ଭାଗୁଆ ପ୍ରଧାନଙ୍କ ଝିଅ ସ୍ନିଗ୍ଧା ପ୍ରଧାନ। ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ଅନୁମାନ କରାଯାଉଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସ୍ନିଗ୍ଧା ତେଲେଣ୍ଡିହିରେ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ସୋମବାରଠାରୁ ସେ ନିଖୋଜ ଥିବା ବେଳେ ତାଙ୍କ ପରିବାର ଲୋକେ ଲେଫ୍ରିପଡ଼ା ଥାନାରେ ନିଖୋଜ ରିପୋର୍ଟ ଲେଖିଥିଲେ। ସ୍ନିଗ୍ଧାଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ସୋମବାର ସନ୍ଧ୍ୟାରେ ଜଣେ ପୁରୁଷ ବନ୍ଧୁଙ୍କ ସହ ଯୁକ୍ତିତର୍କ ପରେ ସେ ନିଖୋଜ ହୋଇଯାଇଥିଲେ। ରାତିରେ ସେ ଘରକୁ ନ ଫେରିବାରୁ ତାଙ୍କ ପିତାମାତା ଲେଫ୍ରିପଡ଼ା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। କୁରୁମକେଲ ବେଲସାରିଆପଡ଼ାର ଏକ କ୍ଷେତରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ମହିଳାଙ୍କୁ ପ୍ରଥମେ ଛୁରାମାଡ଼ ପରେ ପଥରମାଡ଼ କରାଯାଇ ହତ୍ୟା କରାଯାଇଥିବା ଜଣାପଡିଛି।