ଦେଶର ଅଷ୍ଟମ ଗରିବ ରାଜ୍ୟ ଓଡ଼ିଶା: ଏନ୍ଏମପିଆଇ ରିପୋର୍ଟ

ନୀତି ଆୟୋଗର 'ନ୍ୟାସନାଲ ମଲ୍ଟିଡାଇମେନ୍ସନାଲ ପଭର୍ଟି ଇନଡେକ୍ସ: ଏ ପ୍ରୋଗ୍ରେସ ଅଫ୍ ରିଭ୍ୟୁ ୨୦୨୩' ରିପୋର୍ଟ ଅନୁଯାୟୀ ଓଡିଶା ଦେଶର ଅଷ୍ଟମ ଗରିବ ରାଜ୍ୟ।

ମାଲକାନଗିରି ରାଜ୍ୟର ସବୁଠାରୁ ଗରିବ ଜିଲ୍ଲା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସଦ୍ୟ ପ୍ରକାଶିତ ନୀତି ଆୟୋଗର ‘ନ୍ୟାସନାଲ ମଲ୍ଟିଡାଇମେନ୍ସନାଲ ପଭର୍ଟି ଇନଡେକ୍ସ: ଏ ପ୍ରୋଗ୍ରେସ ଅଫ୍ ରିଭ୍ୟୁ ୨୦୨୩’ ରିପୋର୍ଟ ଅନୁଯାୟୀ ଓଡିଶା ଦେଶର ଅଷ୍ଟମ ଗରିବ ରାଜ୍ୟ। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୬୨ ଲକ୍ଷ ୬୨ ହଜାର ଲୋକ ଦାରିଦ୍ର୍ୟମୁକ୍ତ ହୋଇଥିଲେ ମଧ୍ୟ ରାଜ୍ୟର ସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ନିକଟରେ ପ୍ରକାଶିତ ତାଲିକାରେ ବିହାର, ଝାଡ଼ଖଣ୍ଡ, ମେଘାଳୟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ ଓ ଛତିଶଗଡ଼ ପରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ମାଲକାନଗିରି ହେଉଛି ରାଜ୍ୟର ସବୁଠାରୁ ଗରିବ ଜିଲ୍ଲା।  ସେହିପରି ୧୫.୬୮ ପ୍ରତିଶତ ଦାରିଦ୍ର୍ୟ ହାର ଜାତୀୟ ହାର ୧୪.୯୬ ପ୍ରତିଶତରୁ ଅଧିକ ରହିଛି।

ସରକାରଙ୍କ ଥିଙ୍କଟ୍ୟାଙ୍କର ଉପାଧ୍ୟକ୍ଷ ସୁମନ ବେରି ଜାରି କରିଥିବା ରିପୋର୍ଟ ଅନୁଯାୟୀ, ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଭାରତରେ ୧୩.୫ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକୁଳିଛନ୍ତି। ରିପୋର୍ଟ ମୁତାବକ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଓଡ଼ିଶା ଓ ରାଜସ୍ଥାନରେ ବହୁମୁଖୀ ଗରିବଙ୍କ ଅନୁପାତ ଦ୍ରୁତ ଗତିରେ ହ୍ରାସ ପାଇଛି।