ସିବିଏସ୍ଇ ସ୍କୁଲରେ ଓଡ଼ିଆ ସମେତ ୨୨ ଆଞ୍ଚଳିକ ଭାଷା ପଢ଼ାଯିବ: କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ସହ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ପଢ଼ାଯିବ।

ଆଞ୍ଚଳିକ ଭାଷାକୁ ଦିଆଯିବ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ସହ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ପଢ଼ାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିବିଏସ୍ଇ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଓଡ଼ିଆ ସମେତ ୨୨ଟି ଆଞ୍ଚଳିକ ଭାଷା ପଢ଼ାଯିବ।

ଧର୍ମେନ୍ଦ୍ର କହିଛନ୍ତି, ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ (ଏନଇପି ୨୦୨୦) ଅନୁଯାୟୀ ଶିକ୍ଷା ବ୍ୟବସ୍ଥା ରଖିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ସିବିଏସ୍ଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଭାଷା ଶିକ୍ଷାଦାନର ମାତ୍ର ଦୁଇଟି ମାଧ୍ୟମ ରହିଥିବା ବେଳେ ଏନଇପି ୨୦୨୩ ଏବେ ଆଞ୍ଚଳିକ ଭାଷାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିବ। ସେହିପରି ଓଡ଼ିଶା ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ମାଧ୍ୟମରେ ପାଠ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକ ବ୍ୟବସ୍ଥା କରିବେ। ଛାତ୍ରଛାତ୍ରୀମାନେ ଯେପରି ନିଜ ସ୍ଥାନୀୟ ଭାଷାରେ ସହଜରେ ଶିଖିପାରିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ସେହି ଅନୁଯାୟୀ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାକୁ ଏନସିଇଆରଟିକୁ କୁହାଯାଇଛି। ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ ଓ ପରୀକ୍ଷା ଆୟୋଜନ ପାଇଁ ବ୍ୟବସ୍ଥା କରାଯାଉଛି।
ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି (ଏନଇପି) ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେଉଛି କାରଣ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ଯେକୌଣସି ବିଷୟରେ ସ୍ପଷ୍ଟତା ପାଇପାରିବେ ।