ଓଡ଼ିଶାର ୨ ଫରେଷ୍ଟରଙ୍କୁ ମରଣୋତ୍ତର ସମ୍ମାନ; ଜଣଙ୍କୁ ସାହସିକତା ପୁରସ୍କାର

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ୩ ଜଣ ବନ ବିଭାଗ କର୍ମଚାରୀଙ୍କୁ ସମ୍ମାନିତ କରିବ।

ଜୁଲାଇ ୨୯ରେ କେନ୍ଦ୍ର ପରିବେଶ, ଜଙ୍ଗଲ ପକ୍ଷରୁ ସମ୍ମାନିତ

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ୩ ଜଣ ବନ ବିଭାଗ କର୍ମଚାରୀଙ୍କୁ ସମ୍ମାନିତ କରିବ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯିବ ଏବଂ ଅନ୍ୟ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ଜୁଲାଇ ୨୯ରେ ଉତ୍ତରାଖଣ୍ଡର କର୍ବେଟ୍ ବ୍ୟାଘ୍ର ସଂରକ୍ଷଣ ଠାରେ “ବିଶ୍ୱ ବ୍ୟାଘ୍ର ଦିବସ” ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ମାଥି ହାଁସଦା ଓ ବିମଳ କୁମାର ଜେନାଙ୍କୁ ମରଣୋତ୍ତର ସମ୍ମାନ ଏବଂ ବନ୍ୟପ୍ରାଣୀ ଅପରାଧୀଙ୍କ ଆକ୍ରମଣରେ ଆହତ ହୋଇଥିବା ହିମାଂଶୁ ଶେଖର ସେଠୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ, ଜୁନ୍ ୧୬ ତାରିଖ ରାତିରେ ମାଥି ହାଁସଦା ଓ ହିମାଂଶୁ ସେଠୀ ଶିମିଳିପାଳରେ ଅନ୍ୟ ବନ ବିଭାଗ କର୍ମଚାରୀଙ୍କ ସହ ପାଟ୍ରୋଲିଂ ଡ୍ୟୁଟିରେ ନିୟୋଜିତ ଥିବା ବେଳେ ୬ ଜଣ ଶିକାରୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ହାଁସଦାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ହିମାଂଶୁ ଶିକାରୀଙ୍କ ସହ ଲଢ଼େଇ କରି ଆହତ ହୋଇଥିଲେ ଏବଂ ପୋଲିସ ହାତରେ ଅଭିଯୁକ୍ତଙ୍କୁ ଗିରଫ କରାଇଥିଲେ। ସେହିପରି ଚଳିତ ବର୍ଷ ମେ ମାସରେ ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ କରୁଥିବା ବେଳେ ବିମଳ କୁମାର ଜେନାଙ୍କୁ ଶିକାରୀମାନେ ଗୁଳି କରି ହତ୍ୟା କରିଥିଲେ।