‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆହ୍ବାନ ଦେଲେ ମୋଦି

ରବିବାର 'ମନ୍ କି ବାତ୍'ର ୧୦୩ତମ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆମେରିକାକୁ କୃତଜ୍ଞତା ଜଣାଇଲେ

ନୂଆଦିଲ୍ଲୀ: ରବିବାର ‘ମନ୍ କି ବାତ୍’ର ୧୦୩ତମ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମନ୍ କି ବାତ୍ ର ୧୦୩ତମ ଏପିସୋଡରେ ଆମେରିକାକୁ ଧନ୍ୟବାଦ ଜଣାଇ ମୋଦି କହିଛନ୍ତି, ଭାରତର ୧୦୦ରୁ ଅଧିକ ବିରଳ ଓ ପ୍ରାଚୀନ କଳାକୃତି ଫେରାଇ ଦେଇଥିବାରୁ ଆମେରିକାକୁ କୃତଜ୍ଞତା ଜଣାଇଛନ୍ତି। ଏହି ପ୍ରାଚୀନ କଳାକୃତି ଗୁଡ଼ିକ ଦେଶର ବିଭିନ୍ନ ଅଞ୍ଚଳର ଅଟେ। ଚୋଳ ବଂଶର ପ୍ରତିମୂର୍ତ୍ତି, ତାମିଲନାଡୁର ସଂସ୍କୃତି ସହ ଜଡ଼ିତ ଭଗବାନ ମୁରୁଗାନଙ୍କ ପ୍ରତିମୂର୍ତ୍ତି, ୧୦୦୦ ବର୍ଷ ପୁରୁଣା ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ଆମେରିକାରୁ ଭାରତକୁ ଫେରାଇ ଦିଆଯାଇଛି।  କିଛି ଦିନ ତଳେ ସୋସିଆଲ ମିଡିଆରେ କ୍ରେଜ୍ ଦେଖିବାକୁ ମିଳିଥିଲା, ଆମେରିକା ଆମକୁ ୧୦୦ରୁ ଅଧିକ ବିରଳ ଓ ପ୍ରାଚୀନ କଳାକୃତି ଫେରାଇ ଦେଇଛି। ଭାରତକୁ ଫେରିଥିବା ଏହି କଳାକୃତି ଗୁଡ଼ିକ ୨୫୦ରୁ ୨୫୦୦ ବର୍ଷ ପୁରୁଣା।”

ହଜ୍ ସାରି ଫେରିଥିବା ମହିଳାଙ୍କ ବିଷୟରେ ଆଲୋଚନା କରିଛନ୍ତି ମୋଦି। ମେହେରମ କିମ୍ବା ପୁରୁଷ ସାଥୀଙ୍କ ବିନା ହଜ୍ ଯାତ୍ରା ସାରି ଫେରିଥିବା ମହିଳାଙ୍କ ଠାରୁ ମିଳିଥିବା ଚିଠି ବିଷୟରେ ଉଲ୍ଲେଖ କରି କହିଛନ୍ତି, ବିନା ପୁରୁଷ ସାଥୀରେ ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ମହିଳା ସଂଯୋଜକଙ୍କୁ ନିୟୋଜିତ କରିଥିବାରୁ ମୁଁ ସାଉଦି ଆରବ ସରକାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ହଜ୍ ନୀତିରେ ଯେଉଁ ପରିବର୍ତ୍ତନ ହୋଇଛି ତାହାକୁ ଖୁବ୍ ପ୍ରଶଂସା କରାଯାଉଛି।

ଯମୁନାରେ ବନ୍ୟା ସମେତ ଦେଶରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, “ଗତ କିଛି ଦିନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଚିନ୍ତା ଏବଂ ଅସୁବିଧାରେ ଥିଲା । ଯମୁନା ଭଳି ନଦୀରେ ବନ୍ୟା ଆସିବାରୁ ଅନେକ ସ୍ଥାନରେ ଲୋକଙ୍କୁ ହଇରାଣ ହେବାକୁ ପଡିଥିଲା । ପାହାଡିଆ ଅଂଚଳରେ ମଧ୍ୟ ଭୂସ୍ଖଳନ ଘଟଣା ଘଟିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶବାସୀ ସାମୂହିକ ପ୍ରୟାସର ଶକ୍ତି ଦେଖାଇଛନ୍ତି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ନିକଟରେ ଫ୍ରାନ୍ସ ଗସ୍ତ ବିଷୟରେ ମଧ୍ୟ କହିଥିଲେ, ଯେଉଁଠାରେ ସେ ଜଣେ ୧୦୦ ବର୍ଷରୁ ଅଧିକ ବୟସ୍କ ଯୋଗ ଡାକ୍ତରଙ୍କୁ ଭେଟିଥିଲେ। ମୋଦି କହିଥିଲେ “ନିକଟରେ, ଯେତେବେଳେ ମୁଁ ଫ୍ରାନ୍ସ ଯାଇଥିଲି, ମୁଁ ଚାର୍ଲୋଟ ଚୋପିନଙ୍କୁ ଭେଟିଥିଲି ଯିଏ କି ଜଣେ ଯୋଗ ଅଧ୍ୟାପକ ଏବଂ ଶିକ୍ଷୟିତ୍ରୀ ଏବଂ ତାଙ୍କର ବୟସ ୧୦୦ ବର୍ଷରୁ ଅଧିକ । ସେ ଗତ ୪୦ ବର୍ଷ ଧରି ଯୋଗ ଅଭ୍ୟାସ କରୁଛନ୍ତି। ସେ ତାଙ୍କ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁର ଶ୍ରେୟ ଯୋଗକୁ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

‘ହର ଘର ତିରଙ୍ଗା’ ପରମ୍ପରାକୁ ବଜାୟ ରଖିବାକୁ ଆହ୍ୱାନ ଦେଇ ଚଳିତ ବର୍ଷସ୍ୱାଧୀନତା ଦିବସ ଅବସରରେ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ସ୍ୱାଧୀନତା ଦିବସ ଅବସରରେ ‘ଆଜାଦି କା ଅମୃତ ମହୋତ୍ସବ’ ଅଧୀନରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।
ଅମୃତ ମହୋତ୍ସବ ଓ ଅଗଷ୍ଟ ୧୫ ତାରିଖକୁ ନେଇ ଦେଶରେ ଚାଲିଥିବା ଉତ୍ସାହ ମଧ୍ୟରେ ଦେଶରେ ଆଉ ଏକ ବଡ଼ ଅଭିଯାନ ଆରମ୍ଭ ହେବ। ଆମର ସହିଦ ବୀର ଯବାନ ଓ ମହିଳାଙ୍କୁ ସମ୍ମାନିତ କରିବା ପାଇଁ ‘ମେରି ମାଟି ମେରା ଦେଶ’ ଅଭିଯାନ ଆରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଅମର ସହିଦଙ୍କ ସ୍ମୃତିରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହି ଅଭିଯାନ ଅଧୀନରେ ସମଗ୍ର ଦେଶରେ ଅମୃତ କଳଶ ଯାତ୍ରା ଆୟୋଜନ କରାଯିବ। ଦେଶର କୋଣ ଅନୁକୋଣରୁ ୭୫୦୦ କଳସରେ ମାଟି ନେଇ ଏହି ଅମୃତ କଳସ ଯାତ୍ରା ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିବ।

ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶରେ ଗୋଟିଏ ଦିନରେ ରେକର୍ଡ ୩୦ କୋଟି ଚାରା ରୋପଣର ଉଦାହରଣ ଦେଇ କହିଛନ୍ତି ଯେ ଏହା ଜନସାଧାରଣଙ୍କ ଅଂଶଗ୍ରହଣ ଏବଂ ସଚେତନତାର ଏକ ଉଦାହରଣ।