ବାରିପଦା ମେଡିକାଲରେ ଅଗ୍ନିକାଣ୍ଡ

ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି।

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ

ବାରିପଦା: ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଛି ଅଗ୍ନିକାଣ୍ଡ। ହସ୍ପିଟାଲର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ତୃତୀୟ ମହଲାରେ ଥିବା ଅପରେସନ ଥିଏଟରରେ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। କିଛି କ୍ଷୟକ୍ଷତି ହେବା ପୂର୍ବରୁ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ଏମସିଏଚ୍ କୋଠାର ତୃତୀୟ ମହଲାରେ ଥିବା ଗୋଟିଏ ଦୁଇଟି କୋଠରୀରେ ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ହସ୍ପିଟାଲର କର୍ତ୍ତୃପକ୍ଷ ନିଆଁ ଅଧିକ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।