ଇମ୍ରାନ ଖାନଙ୍କ ଜୀବନକୁ ବିପଦ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିବାର ସମ୍ଭାବନା ଥିବାରୁ ତାଙ୍କ ସ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି।

ଇମ୍ରାନଙ୍କୁ ଦିଆଯାଇପାରେ ବିଷ: ବୁଶରା ବିବି

କରାଚି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ୨୦୧୮-୨୨ କାର୍ଯ୍ୟକାଳ ସମୟରେ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ପ୍ରଧାନମନ୍ତ୍ରୀ ଭାବେ ପାଇଥିବା ସରକାରୀ ଉପହାର ବିକ୍ରି ମାମଲାରେ ଅଦାଲତ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଫଳରେ ସେ ଏବେ ଜେଲରେ ଥିବା ବେଳେ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ସ୍ତ୍ରୀ ବୁଶରା ବିବି। ପୂର୍ବରୁ ମଧ୍ୟ ଇମ୍ରାନଙ୍କୁ ଦୁଇଥର ହତ୍ୟା ଉଦ୍ୟମ କରାଯାଇଥିଲା।

ଇମ୍ରାନ୍ ଖାନଙ୍କ ଜୀବନ ପ୍ରତି ବିପଦ କହିଛନ୍ତି ବୁଶରା। ଯାହାଫଳରେ ଚିନ୍ତିତ ପତ୍ନୀ ବୁଶରା ବିବି ତାଙ୍କ ସ୍ୱାମୀଙ୍କ ସୁରକ୍ଷାକୁ ନେଇ ପଞ୍ଜାବ ପ୍ରଦେଶର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି।

ରିପୋର୍ଟ ଅନୁଯାୟୀ, ପଞ୍ଜାବ ପ୍ରଦେଶର ଗୃହ ସଚିବଙ୍କୁ ଲେଖିଥିବା ଏକ ଚିଠିରେ ବୁଶରା ବିବି କହିଛନ୍ତି ଯେ “କୋର୍ଟ ମୋ ସ୍ୱାମୀଙ୍କୁ ରାୱଲପିଣ୍ଡିର ଆଡିଆଲା ଜେଲକୁ ସ୍ଥାନାନ୍ତର କରିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ମୋ ସ୍ୱାମୀଙ୍କୁ ବିନା କୌଣସି ଯଥାର୍ଥତାରେ ଆଟକ୍ ଜେଲରେ ରଖାଯାଇଛି। ମୋ ସ୍ୱାମୀ ତଥା ପିଟିଆଇର ମୁଖ୍ୟ ଇମ୍ରାନ ଜଣେ ଅକ୍ସଫୋର୍ଡ ଗ୍ରାଜୁଏଟ୍ ଏବଂ ଜାତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ହୋଇଥିବାରୁ ତାଙ୍କ ସାମାଜିକ ଏବଂ ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଜେଲରେ ବି-କ୍ଲାସ୍ ସୁବିଧା ଯୋଗାଇ ଦିଆଯାଉ। କିନ୍ତୁ ଆଟକ୍ ଜେଲରେ ଏଭଳି ସୁବିଧା ଉପଲବ୍ଧ ନାହିଁ ଯାହା ତାଙ୍କ ସ୍ୱାମୀଙ୍କୁ ମିଳିବା ଉଚିତ୍। ଅତୀତରେ ଇମ୍ରାନଙ୍କ ଜୀବନ ଉପରେ ଦୁଇଥର ହତ୍ୟା ଉଦ୍ୟମ କରାଯାଇଥିଲା ହେଲେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ତାଙ୍କ ଜୀବନ ପ୍ରତି ଏବେ ବି ବିପଦ ଅଛି ଏବଂ ମୋ ସ୍ୱାମୀଙ୍କୁ ଆଟକ୍ ଜେଲରେ ବିଷ ଦିଆଯିବାର ବୋଲି ଭୟ ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୋ ସ୍ୱାମୀଙ୍କୁ ଜେଲରେ ଘରୋଇ ରନ୍ଧା ଖାଦ୍ୟ ଖାଇବାକୁ ଦିଆଯିବା ଉଚିତ” ବୋଲି ସେ କହିଛନ୍ତି।