ଅଟୋମୋବାଇଲ, ଫାର୍ମା କ୍ଷେତ୍ରରେ ବିପୁଳ ସୁଯୋଗ: ମୋଦି

ରୋଜଗାର ମେଳାର ଅଷ୍ଟମ ସଂସ୍କରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୫୧,୦୦୦ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରୋଜଗାର ମେଳାର ଅଷ୍ଟମ ସଂସ୍କରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମୋଦୀ କହିଛନ୍ତି ଯେ ଖାଦ୍ୟ, ମହାକାଶ କିମ୍ବା ଷ୍ଟାର୍ଟଅପ୍ ଯେକୌଣସି ଅର୍ଥନୀତି ପାଇଁ ସବୁ କ୍ଷେତ୍ରର ଅଭିବୃଦ୍ଧି ଜରୁରୀ। କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଦ୍ୱାରା ନିଯୁକ୍ତ ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରି ସେମାନଙ୍କୁ ‘ଅମୃତ ରକ୍ଷକ’ ବୋଲି କହିଥିଲେ। ଅର୍ଦ୍ଧସାମରିକ ବାହିନୀର ନିଯୁକ୍ତି ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ କରାଯାଇଛି ଯାହା ଆମର ଯୁବବର୍ଗଙ୍କ ପାଇଁ ନୂତନ ବାଟ ଖୋଲିବ। ଏହି ଦଶନ୍ଧିରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଗୋଟିଏ ହେବ ବୋଲି ମୋଦି କହିଛନ୍ତି।

ଅଟୋମୋବାଇଲ ଏବଂ ଫାର୍ମା କ୍ଷେତ୍ରର ଉଦାହରଣ ଦେଇ ମୋଦି କହିଛନ୍ତି, ଯାହା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆଗାମୀ ଦିନରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଖାଦ୍ୟଠାରୁ ଆରମ୍ଭ କରି ଫାର୍ମା, ମହାକାଶଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରର ବିକାଶ ଯେକୌଣସି ଅର୍ଥନୀତି ପାଇଁ ଜରୁରୀ। ଭାରତର ଅଭିବୃଦ୍ଧି କାହାଣୀରେ ପର୍ଯ୍ୟଟନ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, “୨୦୩୦ ଝଦଧ଼ଧ ପର୍ଯ୍ୟଟନ କ୍ଷେତ୍ର ଭାରତୀୟ ଅର୍ଥନୀତିରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଯୋଗଦାନ କରିବାର ସମ୍ଭାବନା ରହିଛି; ଏହା ଦ୍ୱାରା ୧୩ରୁ ୧୪ କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିବ।

ମିଶନ ନିଯୁକ୍ତି ଅଧୀନରେ ଭାରତ ସରକାର ଏବଂ କେତେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ପାଇଁ ସାରା ଦେଶରେ ରୋଜଗାର ମେଳା ଆୟୋଜନ କରୁଛନ୍ତି ଏବଂ ପ୍ରତି ମାସରେ ଲକ୍ଷ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରୁଛନ୍ତି। ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ଜରିଆରେ ଗୃହ ମନ୍ତ୍ରଣାଳୟ ସିଆରପିଏଫ, ବିଏସଏଫ, ଶାସ୍ତ୍ର ସୀମା ବଳ(ଏସଏସବି), ଆସାମ ରାଇଫଲ୍ସ, ସିଆଇଏସଏଫ, ଆଇଟିବିପି ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭଳି ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ସିଏପିଏଫ ଏବଂ ଦିଲ୍ଲୀ ପୋଲିସରେ ଯବାନଙ୍କୁ ନିଯୁକ୍ତି ଦିଆଯାଉଛି।