ଆସନ୍ତାକାଲି ଉଦଘାଟିତ ହେବ ନେତାଜୀ ବସ୍ ଟର୍ମିନାଲ

ନେତାଜୀ ବସ୍ ଟର୍ମିନାଲର ଉଦଘାଟନ ସେପ୍ଟେମ୍ବର ୧୬ ଅର୍ଥାତ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ।

ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୯: ବହୁ ପ୍ରତୀକ୍ଷିତ କଟକ ନେତାଜୀ ବସ୍ ଟର୍ମିନାଲର ଉଦଘାଟନ ସେପ୍ଟେମ୍ବର ୧୬ ଅର୍ଥାତ ଆସନ୍ତାକାଲି ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଆସି ନେତାଜୀ ବସ୍ ଟର୍ମିନାଲର ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ୨୦୨୧ ଜାନୁଆରୀ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ ।
୧୨ ଏକର ଜମିରେ ନିର୍ମିତ ହୋଇଥିବା ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା ରହିଛି । ଗୋଟିଏ ସମୟରେ ଲୋକାଲ ଏବଂ ମୋ ବସକୁ ମିଶାଇ ମୋଟ ୧୮୦ଟି ବସ୍ ରହିବା ପାଇଁ ସ୍ଥାନ ରହିଥିବା ବେଳେ, ବସ୍ ମରାମତି କର୍ମଶାଳା, ଚାରି ଚକିଆ ଏବଂ ତିନି ଚକିଆ ଯାନ ପାଇଁ ସ୍ୱତନ୍ତ୍ର ପାର୍କିଂ ସ୍ଥାନ, ଯାତ୍ରୀଙ୍କ ପାଇଁ ଟିକେଟ କାଉଂଟର, ବିଶ୍ରାମ ଗୃହ, ଫୁଡ କୋର୍ଟ, ଇ-ଭେଇକିଲ୍ ଚାର୍ଜିଂ ଷ୍ଟେସନ ଭଳି ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।
ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଆହୁରି ଏକାଧିକ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପାଠାଗାର, ରାଣୀହାଟ କ୍ଲକ ଟାୱାର, ତାଳଦଣ୍ଡା ବୋଟିଂ କମ୍ପେ୍ଲକ୍ସ ଓ ଫୁଡ କୋର୍ଟ, ରେଳଷ୍ଟେସନର ଇଷ୍ଟ ଏଂଟ୍ରାନ୍ସ ଓ ଜାତୀୟ ରାଜପଥ ସଂଯୋଗ ରାସ୍ତା, ଛତ୍ରବଜାର ଅର୍ବାନ ହାଟ, ସିଲଭର ସିଟି ବୋଟ କ୍ଲବ, ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ଆବାସ ପ୍ରକଳ୍ପ, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଉନ୍ନତି ପ୍ରକଳ୍ପ, ତାଳଦଣ୍ଡ କେନାଲ ଉପରେ ୫ଟି ବ୍ରିଜ୍ ଏବଂ ଓଟିଡିସିର ୩ଟି ପ୍ରକଳ୍ପକୁ ଉଦଘାଟନ କରିବେ ।