୧୯ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

କ୍ୟାବିନେଟ ବୈଠକରେ ୧୦ଟି ବିଭାଗର ମୋଟ ୧୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ରାଜ୍ୟ କ୍ୟାବିନେଟର ବୈଠକ ଶେଷ

ଭୁବନେଶ୍ୱର,୧୫/୦୯: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ୧୦ଟି ବିଭାଗର ମୋଟ ୧୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଥିବା ପ୍ରସ୍ତାବ ସମ୍ପର୍କିତ ସମସ୍ତ ତଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଉନ୍ନୟନ କମିଶନର ଅନୁ ଗର୍ଗ ସାମ୍ବାଦିକମାନଙ୍କୁ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ।
କ୍ୟାବିନେଟ ଅନୁମୋଦିତ ହୋଇଥିବା ପ୍ରସ୍ତାବ ମଧ୍ୟରେ ହେଉଛି ରାଜ୍ୟର ଓବିସିସି ଦ୍ୱାରା ପରିଚାଳିତ ପୂର୍ତ ଓ ଆରଡି ବିଭାଗ ରାସ୍ତାରେ ଥିବା ୩୫ଟି ଟୋଲ ଗେଟ ଉଚ୍ଛେଦ କରାଯିବ । ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ସମସ୍ତ ୩୫ ଟୋଲ ଗେଟ ଉଠିଯିବ । ଏହା ସହ ପ୍ରାୟ ୧୬,୪୦୦ ହେକ୍ଟର ଜମିର ପୁନରୁଦ୍ଧାର ପାଇଁ ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ଜଳସମ୍ପଦ ବିଭାଗର ଟାଙ୍କି ଓ ଏମଆଇପିର ଉନ୍ନତି ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହା ଦ୍ୱାରା ସମଗ୍ର ରାଜ୍ୟରେ ୫୦୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନବୀକରଣ କରାଯିବ । ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ୨୦୨୩-୨୪ରେ ୭୯ ଲକ୍ଷ ମେଟ୍ରିକ ଟନ ଧାନ ଓ ୫୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ସେହିପରି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ମଣ୍ଡିକୁ ଆସିଲେ ବି ସରକାର କ୍ରୟ କରିବେ । ସାରା ରାଜ୍ୟରେ ଯାତ୍ରୀମାନଙ୍କ ପରିବହନକୁ ସୁନିଶ୍ଚିତ କରିବା ପାଇଁ ଲୋକେସନ ଆକ୍ସେସିବଲ ମଲ୍ଟି ମୋଡାଲ ଇନିସିଏଟିଭ୍ (ଏଲଏସିଏମଆଇ) ନାମକ ଏକ ଯୋଜନା ଉପରେ ଅନୁମୋଦନ କରିଛନ୍ତି ।