ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଛି ।

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

ନୂଆଦିଲ୍ଲୀ,୧୮/୦୯: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଥିବା ବେଳେ ଆଜି କ୍ୟାବିନେଟ ବୈଠକ ବସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀସ୍ଥିତ ସଂସଦ ଭବନ ଆନେକ୍ସରେ କେନ୍ଦ୍ର କ୍ୟାବିନେଟ ବୈଠକ ଚାଲିଛି । ଏହି ବୈଠକରେ ସଂସଦର ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ଉପରେ ମନ୍ତ୍ରୀମାନେ ଆଲୋଚନା କରିବେ । ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବାକୁ ଥିବା ପ୍ରମୁଖ ବିଲ ଗୁଡିକ ଉପରେ ଆଲୋଚନା ହୋଇ ଅନୁମୋଦନ ମିଳିବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ମୋଟ ଉପରେ ୮ଟି ବିଲ୍ ଆଗତ ହୋଇପାରେ ବୋଲି ଅନୁମାନ କରାଯାଉଛି । ତାଲିକାଭୁକ୍ତ ବିଲଗୁଡିକ ହେଲା ଓକିଲ ସଂଶୋଧନ ବିଲ୍‌, ୨୦୨୩; ପ୍ରେସ ଏବଂ ପଞ୍ଜୀକରଣ ପତ୍ରିକା ବିଲ୍‌, ୨୦୨୩; ଡାକଘର ବିଲ୍‌, ୨୦୨୩; ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ଚାକିରି ସର୍ତାବଳୀ ଏବଂ କାର୍ଯ୍ୟକାଳ) ବିଲ୍‌, ୨୦୨୩; ବରିଷ୍ଠ ନାଗରିକ କଲ୍ୟାଣ ବିଲ୍ ଏବଂ ଏସସି/ଏସଟି ଆଦେଶ ସହିତ ଜଡିତ ତିନୋଟି ବିଲ ରହିଛି ।
ଏହାବ୍ୟତୀତ ଦେଶର ନାମ ପରିବର୍ତନ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆସିପାରେ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେଡି ଭଳି ଅନ୍ୟ ରାଜନୈତିକ ଦଳ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଦାବି କରିଛନ୍ତି, ଯାହାକି ଅନିଶ୍ଚିତତା ଭିତରେ ରହିଛି ।