ଏସିଆନ ଗେମ୍ସରେ ଭାରତର ରେକର୍ଡ; ଚତୁର୍ଥ ସ୍ଥାନରେ ଭାରତ

ଏସିଆନ ଗେମ୍ସରେ ଭାରତ ରେକର୍ଡ ପଦକ ଜିତିଛି ।

ଚୀନରେ ଭାରତର ପଦକ ବର୍ଷା

ନୂଆଦିଲ୍ଲୀ,୦୧/୧୦: ହାଙ୍ଗଝୁ ଏସିଆନ ଗେମ୍ସରେ ଭାରତର ପ୍ରଦର୍ଶନ ଜାରି ରହିଛି । ଏସୀୟ କ୍ରୀଡା ଆଥଲେଟିକ୍ସରେ ଗୋଟେ ପରେ ଗୋଟେ ପଦକ ହାସଲ କରୁଛି । ଆଜି ସଟପୁଟରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି ତଜିନ୍ଦର ପାଲ ସିଂ ତୁର । ୨୦.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରି ସ୍ୱର୍ଣ୍ଣ ପାଇଛନ୍ତି । ସେହିପରି ୩ ହଜାର ମିଟର ଷ୍ଟିପଲଚେଜରେ ଅବିନାଶ ସାବଲ ସ୍ୱର୍ଣ୍ଣ ଜିତିଛନ୍ତି । ମହିଳା ବିଭାଗରେ ୧୫୦୦ ମିଟର ଦୌଡରେ ହର୍ମିଲାନ ବେନ୍ସଙ୍କ ସହ ୧୫୦୦ ମିଟରରେ ଆଉ ୨ ପଦକ ଜିତିଛ ଭାରତ । ଅଜୟ କୁମାର ସରୋଜ ରୌପ୍ୟ ଜିତିଥିବା ବେଳେ ଜିନସନ ଜନସନ ବ୍ରୋଞ୍ଜ ଜିତିଛନ୍ତି ।
ପୁରୁଷ ବିଭାଗ ଲଙ୍ଗ ଜମ୍ପରେ ଏମ.ଶ୍ରୀଶଙ୍କର ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ଡିସକସ୍ ଥ୍ରୋରେ ଭାରତକୁ ବ୍ରୋଞ୍ଜ ପଦକ ଆଣି ଦେଇଛନ୍ତି ଭେଟେରାନ ସୀମା ପୁନିଆ । ୫୮.୬୨ ମିଟର ପର୍ଯ୍ୟନ୍ତ ଡିସକସ୍ ଫିଙ୍ଗି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ସହ ସୁଟିଂରେ ପୁରୁଷ ଟ୍ରାପ୍ ବ୍ୟକ୍ତିଗତ ଇଭେଂଟରେ ସୁଟର କିନାନ ଡାରିଅସ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ହେପ୍ଟାଥ୍ଲନରେ ଭାରତକୁ ବ୍ରୋଞ୍ଜ ପଦକ ଦେଇଛନ୍ତି ନନ୍ଦିନୀ ଅଗସରା । ୧୦୦ ମିଟର ହଡଲ୍ସରେ ଜ୍ୟୋତି ୟାରାଜୀ ରୌପ୍ୟ ଜିତିଛନ୍ତି ।
ଏଯାବତ୍ ଭାରତକୁ ମୋଟ ୧୩ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ ମିଶି ମୋଟ ୫୨ଟି ପଦକ ମିଳିଛି । ମୋଟ ୨୪୧ ପଦକ ସହ ପ୍ରଥମ ସ୍ଥାନରେ ପିପୁଲ୍ସ ରିପବ୍ଲିକ ଅଫ ଚାଇନା, ୧୨୪ ପଦକ ସହ ଦ୍ୱିତୀୟରେ ରିପବ୍ଲିକ ଅଫ କୋରିଆ, ୧୧୧ ପଦକ ସହ ତୃତୀୟରେ ଜାପାନ, ୫୨ ପଦକରେ ଚତୁର୍ଥରେ ଭାରତ, ୪୦ ପଦକ ସହ ପଂଚମ ସ୍ଥାନରେ ଉଜବେକିସ୍ତାନ, ୩୧ ପଦକ ସହ ଷଷ୍ଠ ସ୍ଥାନରେ ଥାଇଲାଣ୍ଡ, ୩୩ ପଦକ ସହ ଚାଇନିଜ ତାଇପେଇ ସପ୍ତମ ସ୍ଥାନରେ, ୩୦ ପଦକ ସହ ଅଷ୍ଟମରେ ହଙ୍ଗ କଙ୍ଗ (ଚାଇନା), ୧୯ ପଦକ ସହ ନବମ ସ୍ଥାନରେ ଡିପିଆର କୋରିଆ ଏବଂ ୧୮ ପଦକ ସହ ଦଶମ ସ୍ଥାନରେ ଇଣ୍ଡୋନେସିଆ ରହିଛି ।