ଘାଇଲା କରୁଛି କରୋନା: ୨ୟ ଥର ପାଇଁ ପଜିଟିଭ ହେଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ କିଛି ମାସର ବ୍ୟବଧାନରେ ପୁଣିଥରେ କରୋନା ମାମଲା ବଢ଼ିବାରେ ଲାଗିଛି । ନେତା ମନ୍ତ୍ରୀଠାରୁ ଆରମ୍ଭ କାରି ବହୁ ଜନସାଧାରଣ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପୁଣି ଥରେ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ସେ ଦ୍ୱିତୀୟ ଥର ପାଇଁ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବ୍ୟକ୍ତିଗତ ଭାବରେ ସାକ୍ଷାତର କିଛି ଦିନ ପରେ ସେ କରୋନାର ଶିକାର ହୋଇଥିବା ସୂଚନା ଦିଆଯାଇଛି ।

ଟ୍ରୁଡୋ ସୋମବାର ଦିନ ଏକ ଟ୍ୱିଟ୍ ଜରିଆରେ ନିଜକୁ ପୁଣିଥରେ କରୋନା ପଜିଟିଭ୍ ବୋଲି ସୂଚନା ଦେଇଛନ୍ତି । ଏହି ଟ୍ୱିଟରେ ସେ ସମସ୍ତଙ୍କୁ ଟିକା ଲଗାଇବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ‘ମୁଁ କୋଭିଡ୍ ୧୯ ଦ୍ୱାରା ସଂକ୍ରମିତ ହୋଇଛି । ମୁଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀର ପାଳନ କରିବି ଏବଂ ସଂଗରୋଧରେ ରହିବି । ମୋ ସ୍ୱାସ୍ଥ୍ୟ ଠିକ୍ ରହିଛି । କାରଣ ମୁଁ କୋଭିଡ୍-୧୯ର ଡୋଜ୍ ନେଇସାରିଥିଲି ।’

ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଆମେରିକାର ଶିଖର ସମ୍ମିଳନୀରେ ଭାଗ ନେବାକୁ ଲସ୍ ଆଞ୍ଜଲେସ୍ ଗସ୍ତରେ ଥିଲେ । ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଶୀର୍ଷ ଅଧିକାରୀମାନଙ୍କ ସହ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଦୁଇ ଥର କୋଭିଡ୍ ଭାଇରସ୍ ସଂସ୍ପର୍ଶରେ ଆସିସାରିଛନ୍ତି । ମାର୍ଚ୍ଚ ୨୦୨୦ରେ ସେ ତାଙ୍କ ପତ୍ନୀ ସୋଫି ଗ୍ରେଗୋଇରେ ଟ୍ରୁଡୋଙ୍କ ସହ କୋଭିଡ୍ ୧୯ ପାଇଁ ସକରାତ୍ମକ ପରୀକ୍ଷଣ ପରେ ୧୪ ଦିନ ଯାଏଁ ଆଇସୋଲେସନରେ ରହିଥିଲେ ।